ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମ କେବେ ଏବଂ କେଉଁଠି ହେବ ? ଫ୍ରାଞ୍ଚାଇଜମାନଙ୍କୁ କେତେ ଖେଳାଳି ରିଟେନ୍ କରିବାର ଅନୁମତି ମିଳିବ ଏହି ପ୍ରଶ୍ନ କ୍ରିକେଟ୍ ମହଲରେ ଅନେକ ଦିନ ଧରି ଉଙ୍କି ମାରୁଛି । ଏହି ସବୁ ପ୍ରଶ୍ନର ଶୀଘ୍ର ଉତ୍ତର ମିଳିବାକୁ ଯାଉଛି, କାରଣ ଆଜି ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକ ହେବାକୁ ଯାଉଛି । ଏହି ବୈଠକରେ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଚଳିତ ବର୍ଷ ଆଇପିଏଲ ୨୦୨୫ ପାଇଁ ମେଗା ନିଲାମ ହେବ ।
କ୍ରିକବଜର ଖବର ଅନୁସାରେ, ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକ ଶନିବାର ସନ୍ଧ୍ୟା ୬ଟା ୩୦ରେ ବେଙ୍ଗାଲୁରୁର ଫୋର ସିଜନ୍ସ ହୋଟେଲରେ ଅନୁଷ୍ଠିତ ହେବ । ଏହି ବୈଠକ ପାଇଁ ସଦସ୍ୟମାନଙ୍କୁ ଶୁକ୍ରବାର ସନ୍ଧ୍ୟାରେ ନୋଟିସ୍ ପଠାଯାଇଥିଲା । ବୈଠକରେ ମେଗା ନିଲାମର ତାରିଖ ଓ ଭେନ୍ୟୁ ଉପରେ ନିର୍ଣ୍ଣୟ ନିଆଯିବ ବୋଲି ଆଶା କରାଯାଉଛି ।
ଏ ପର୍ଯ୍ୟନ୍ତ ଯାହା ସୂଚନା ରହିଛି ସେହି ହିସାବରେ ମେଗା ନିଲାମ ନଭେମ୍ବରର ଶେଷ ଆଡକୁ କୌଣସି ଗଲ୍ଫ ସହରରେ ହୋଇପାରେ । କୁହାଯାଉଛି ସାଉଦି ଆରବ ଖେଳାଳିଙ୍କ ମେଗା ନିଲାମର ଆୟୋଜନ କରିବାକୁ ଇଚ୍ଛୁକ । ଯଦି ଗଭର୍ଣ୍ଣିଂ କାଉନସିଲ ଅନୁମତି ଦିଅନ୍ତି ତେବେ ଏହା ସାଉଦି ଆରବର ରାଜଧାନୀ ରିୟାଦରେ ହୋଇପାରେ ।
ରିଟେସନ ପଲିସିକୁ ନେଇ ଆକଳନ କରାଯାଉଛି ଯେ, ଏହି ସଂଖ୍ୟା ୨ରୁ ୮ ମଧ୍ୟରେ ରହିପାରେ । ତେବେ ବିସିସିଆଇ ୫ରୁ ୬ ଖେଳାଳିଙ୍କୁ ଦଳରେ ରଖି ପାରିବା ପଲିସିରେ ସହମତ ହୋଇପାରେ । ରିଟେସନ ପଲିସି ଘୋଷଣା ହେବା ପରେ ହିଁ କେଉଁ ଦଳରେ କେଉଁ ଖେଳାଳି ରହିବେ ତାର ଚିତ୍ର ସ୍ପଷ୍ଟ ହୋଇପାରେ ।