ଟିମ୍ ଇଣ୍ଡିଆର ଗୁପ୍ତ ଫ୍ୟାଶନ ଶୋ । ଏକଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବିଶ୍ୱକପ୍ କ୍ରିକେଟ୍ରେ ଗତ ମାସରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡକୁ ଲିଗ୍ ମ୍ୟାଚ୍ରେ ପରାସ୍ତ କରିଥିଲା ଟିମ୍ ଇଣ୍ଡିଆ । ପରେ ଟିମ୍ ଇଣ୍ଡିଆ ଏକ ଗୁପ୍ତ ଫ୍ୟାଶନ ଶୋ’ର ଆୟୋଜନ କରିଥିଲା ।
ଗତକାଲି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁମ୍ବାଇରେ ପ୍ରି-ମ୍ୟାଚ୍ କନ୍ଫରେନ୍ସରେ ଏହି ବିଷୟରେ କହିଥିଲେ । ଦଳରେ ଏକ ଭଲ ବାତାବରଣ କେମିତି ବଜାୟ ରହିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ଏହି ଫ୍ୟାଶନ ଶୋ’ ବିଷୟରେ କହିଥିଲେ ।ରୋହିତ କହିଥିଲେ ଯେ , ଟିମ୍ରେ ଭଲ ବାତାବରଣ ବଜାୟ ରହିବା ଏକ ସଚେତନ ପ୍ରୟାସ । ଆମେ ଏହାକୁ ନିଜେ ତିଆରି କରିଛୁ । ଏହା ଜଣେ କିମ୍ବା ଦୁଇ ଜଣ ଖେଳାଳିଙ୍କୁ ନେଇ ସମ୍ଭବ ହୋଇନାହିଁ । ଏଥିରେ ସମସ୍ତଙ୍କର ଯୋଗଦାନ ରହିଛି । ତାଙ୍କ ସହିତ ସପୋର୍ଟ ଷ୍ଟାଫ ବି ଏଥିରେ ସହଯୋଗ କରିଛନ୍ତି । ଏପରିକି ଧର୍ମଶାଳାରେ ଆମେ ଏକ ଗୁପ୍ତ ଫ୍ୟାଶନ ଶୋ’ କରିଥିଲୁ । କିନ୍ତୁ ଏ ବିଷୟରେ କେହି କିଛି ଜାଣିପାରି ନଥିଲେ । ଆଜି ମ୍ୟାଚ୍କୁ ନେଇ ଟିମ୍ ଇଣ୍ଡିଆ ଚାପରେ ରହିବ ବୋଲି କୁହାଯାଉଛି । କିନ୍ତୁ ଏପଟେ ରୋହିତ ଶର୍ମା କହିଛନ୍ତି, ୧୯୮୩ ମସିହାରେ ଯେତେବେଳେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଜିତିଥିଲା । ସେତେବେଳେ ଆମେମାନେ କେହି ଜନ୍ମ ହୋଇନଥିଲୁ । ସେହିପରି ୨୦୧୧ ମସିହା ରେ ଯେତେବେଳେ ଦଳ ପୁଣିଠାରେ ବିଶ୍ୱକପ ଜିତିଲା । ସେତେବେଳେ ଦଳରେ ଏବେ ସଦସ୍ୟ ଥିବା ଅଧା ଖେଳାଳି ଖେଳୁନଥିଲେ । ଆମେ ପୂର୍ବ ଦୁଇଟି ବିଶ୍ୱକପ୍ କେମିତି ଜିତିଥିଲୁ ସେ ବିଷୟରେ ଆମ ଦଳର ସଦସ୍ୟମାନେ ଆଲୋଚନା କରିବାର ମୁଁ ଦେଖିନାହିଁ । ଆମର ଲକ୍ଷ୍ୟ କିପରି ଆମେ ଆହୁରି ଭଲ କରିପାରିବୁ ଓ ଆହୁରି ଉନ୍ନତି ଆଣିପାରିବୁ । ଏହା ହେଉଛି ବର୍ତ୍ତମାନର ଟିମ୍ର ଚିନ୍ତନ । ପ୍ରଥମ ମ୍ୟାଚ୍ରୁ ଆମର ଲକ୍ଷ୍ୟ ଥିଲା କେମିତି ଆଜି ଆମେ ଜିତିବୁ ।
ଚଳିତ ବିଶ୍ୱକପ୍ କ୍ରିକେଟ୍ର ପ୍ରଥମ ସେମି ଫାଇନାଲ ମ୍ୟାଚ୍ ଆଜି ମୁମ୍ବାଇରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ଭାରତ ସମସ୍ତ ମ୍ୟାଚ୍ ଜିତିଛି । ମୋଟାମୋଟି ଭାବେ ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଛି । ଅଧିନାୟକ ରୋହିତ ଶର୍ମା ନିଜେ ଭଲ ଫର୍ମରେ ଅଛନ୍ତି । ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ, ସୂର୍ଯ୍ୟ କୁମାର ଯାଦବ ବି ଭଲ ଖେଳୁଛନ୍ତି । ବୋଲିଂରେ ମହମ୍ମଦ ଶାମି, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରା ବଢ଼ିଆ କରୁଛନ୍ତି । ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଟିମ୍କୁ ଭଲ ସହାୟତା ଦେଇଛନ୍ତି । ତେଣୁ ଆଜିର ମ୍ୟାଚ୍ ଭାରତ ଜିତି ଫାଇନାଲରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି ।
ଆଗକୁ ପଢନ୍ତୁ :- ବିଶ୍ୱକପରେ ୯ଟି ବିଜୟ ସହ ନିଜ ରେକର୍ଡ ଭାଙ୍ଗିଲା ଭାରତ