ଦୁବାଇ: ଆଇସିସି ମହିଳା ଟି-୨୦ ବିଶ୍ଵକପରେ ଭାରତୀୟ ଦଳ ପାରମ୍ପରିକ ପାକିସ୍ତାନକୁ ହରାଇ ପ୍ରଥମ ବିଜୟ ହାସଲ କରିଛି। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୬ ଓ୍ଵିକେଟରେ ହରାଇଛି। ମହାମୁକାବିଲା ଏତେ ଧିମା ରହିଥିଲା ଯେ, ଇନିଂସରେ ଗୋଟିଏ ବି ଛକା ଦେଖିବାକୁ ମିଳି ନ ଥିଲା। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୦୫ ରନ କରିଥିଲା। ଦଳ ପକ୍ଷରୁ ନିଦା ଡାର ସର୍ବାଧିକ ୨୮ ରନ କରିଥିଲେ। ଜବାବରେ ଭାରତ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଧିନାୟକ ହରମନପ୍ରୀତ କୌର ୨୯ ରନ କରିଥିଲେ। ଭାରତୀୟ ମହିଳା ଦଳ ମ୍ୟାଚ୍ ଜିତିଥିଲେ ହେଁ ଆବଶ୍ୟକ ନେଟ୍ ରନ ରେଟ୍ ସଂଗ୍ରହ କରି ପାରିନଥିଲା।
ଭାରତୀୟ ଦଳ ସେମି ଫାଇନାଲ୍ ଦୌଡ଼ରେ ଥିଲେ ହେଁ ଲୋ ସ୍କୋରିଂ ମ୍ୟାଚ୍କୁ ୧୯ ଓଭର ପର୍ଯ୍ୟନ୍ତ ନେବା ଦଳ ପାଇଁ ଆଗାମୀ ସମୟରେ ମୁସ୍କିଲ ସ୍ଥିତି ସୃଷ୍ଟି କରିପାରେ। ବିଜୟ ପରେ ବି ଭାରତ ଗ୍ରୁପ ଏର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପରାଜୟ ପରେ ବି ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି।
ମ୍ୟାଚ୍ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ କୌଣସି ବି ବ୍ୟାଟର ବଡ଼ ସ୍କୋର କରିପାରି ନ ଥିଲେ। ଭାରତୀୟ ବୋଲରଙ୍କ ଉଚିତ୍ ମୁକାବିଲା କରି ନ ପାରି ପାକିସ୍ତାନ ୮ ଓ୍ଵିକେଟ୍ ହରାଇ ୧୦୫ ରନ କରି ପାରିଥିଲା। ପାକିସ୍ତାନ ପକ୍ଷରୁ ନିଦା ଡାର ୨୮ ରନ, ମୁନିବା ଅଲ୍ଲୀ ୧୭, ସୈୟଦ ଅରୁବ ଶାହ ୧୪ ରନ କରିଥିଲେ। ଭାରତ ପକ୍ଷରୁ ଅରୁଣଧତି ରେଡ୍ଡୀ ୩ଟି ସଫଳତା ହାସଲ କରିଥିବା ବେଳେ ଶ୍ରେୟଙ୍କା ପାଟିଲକୁ ଦୁଇଟି ଓ୍ଵିକେଟ୍ ମିଳିଥିଲା।
୧୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତକୁ ୧୮ ରନ ସ୍କୋରରେ ସ୍ମିତି ମନ୍ଧାନା (୭ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଏହା ପରେ ଶେଫାଳି ବର୍ମା ଓ ଜେମିମା ରୋଡ୍ରିଗଜ ଦ୍ଵିତୀୟ ଓ୍ଵିକେଟ୍ ଭାଗିଦାରୀରେ ୪୩ ରନ ଯୋଡ଼ିଥିଲେ। ଶେଫାଳି ୩୫ ବଲରୁ ୩୨ ରନ କରି ଦ୍ଵିତୀୟ ବ୍ୟାଟର ଭାବେ ଅଉଟ୍ ହୋଇଥିଲେ। ଜେମିମା ୨୩ ରନ କରିଥିବା ବେଳେ ରିଚା ଘୋଷ ଖାତା ଖୋଲିପାରି ନ ଥିଲେ।
ଅଧିନାୟକ ହରମପ୍ରୀତ କୌର ୨୯ ରନର ଦ୍ରୁତ ଇନିଂସ ଖେଳି ଭାରତକ ବିଜୟର ଦ୍ଵାର ଦେଶରେ ପହଞ୍ଚାଇଥିଲେ। ଆହତ ଯୋଗୁଁ ସେ ରିଟାୟର୍ଡ ହଟ୍ ହୋଇଥିଲେ। ଦୀପ୍ତି ଶର୍ମା ୭ ରନ ଓ ଏସ ସଜନା ୪ ରନ କରି ଅପରାଜିତ ଥିଲେ। ଏହିପରି ଭାରତ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା।