ଚେନ୍ନାଇ: ସନ୍ରାଇଜର୍ସ ହାଇଦ୍ରାବାଦ୍ ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା କ୍ବାଲିଫାୟର-୨ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନ୍ରେ ପରାସ୍ତ କରିଛି। ଏହି ମୁକାବିଲାରେ ରାଜସ୍ଥାନକୁ ବିଜୟ ପାଇଁ ୧୭୬ ରନ୍ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ସଂଜୁ ସାମସନ୍ଙ୍କ ଟିମ୍ ୭ ୱିକେଟ୍ ହରାଇ ୧୩୯ ରନ୍ରେ ଅଟକି ଯାଇଥିଲା। ଏଥି ସହିତ ହାଇଦ୍ରାବାଦ ଟିମ୍ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଟିମ୍ ୨୦୧୬ ଓ ୨୦୧୮ରେ ମଧ୍ୟ ଫାଇନାଲରେ ପହଞ୍ଚି ଥିଲଶ। ୨୦୧୬ରେ ଦଳ ଚାମ୍ପିଅନ ହୋଇଥିଲା। ଏବେ ଆଇପିଏଲ୍ ୧୭ତମ ସଂସ୍କରଣର ଫାଇନାଲ ମେ’ ୨୬ (ରବିବାର) ହାଇଦ୍ରାବାଦ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ।
କ୍ବାଲିଫାୟର-୨ ମୁକାବିଲାରେ ରାଜସ୍ଥାନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ଗୋଟିଏ ୱିକେଟ୍ ହରାଇ ୬୫ ରନ୍ କରିସାରିଥିଲା। କିନ୍ତୁ ଏହା ପରେ ଦଳର ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ହାଇଦ୍ରାବାଦ୍ର ସ୍ପିନର ଶାହବାଜ ଅହମଦ ଓ ଅଭିଷେକ ଶର୍ମା ଚମକପ୍ରଦ ବୋଲିଂ କରିଥିଲେ। ଶାହବାଜଙ୍କ ବଲ୍ରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ, ରିୟାନ ପରାଗ ଓ ରବିଚନ୍ଦ୍ରନ ଅଶ୍ବିନ ଆଉଟ୍ ହୋଇଥିଲେ। ସେହିପରି ଅଭିଷେକଙ୍କ ଶିକାର ହୋଇଥିଲେ ଅଧିନାୟକ ସଂଜୁ ସାମସନ୍ ଓ ଶିମରନ ହେଟମେୟର। ଧ୍ରୁବ ଜୁରେଲ ୩୫ଟି ବଲ୍ ଖେଳି ଅପରାଜିତ ୫୬ ରନ୍ କରିଥିଲେ। ସେ ରାଜସ୍ଥାନକୁ ଭଲ ସ୍ଥିତିକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କରିପାରି ନଥିଲେ। କାରଣ ସେତେବେଳେକୁ ସମୟ ବିଳମ୍ବ ହୋଇଯାଇଥିଲା।
ଜୁରେଲ ନିଜର ପାଳିରେ ୭ଟି ଚୌକା ଓ ୨ଟି ଛକା ମାରିଥିଲେ। ଯଶସ୍ବୀ ଜୟସ୍ବାଲ ୪ଟି ଚୌକା ଓ ୩ ଛକା ବଳରେ ୨୧ଟି ବଲ୍ ଖେଳି ୪୨ ରନ୍ ସଂଗ୍ରହ କରିଥିଲେ। ଅପରପକ୍ଷେ ହାଇଦ୍ରାବାଦ୍ର ଶାହବାଜ ୪ ଓଭର ବୋଲିଂ କରି ୨୩ ରନ୍ ଦେଇଥିଲେ ଏବଂ ସେ ୩ଟି ମୂଲ୍ୟବାନ ୱିକେଟ୍ ନେଇଥିଲେ। ଅଭିଷେକ ୪ ଓଭର ବୋଲିଂ କରିଥିଲେ। ସେ ୨୪ ରନ୍ ଖର୍ଚ୍ଚ କରିବା ସହ ୨ ଜଣ ମୂଲ୍ୟବାନ ଖେଳାଳିଙ୍କୁ ପଡ଼ିଆ ବାହାରକୁ ପଠାଇଥିଲେ। ଟି ନଟରାଜନ ଓ ପେଟ କମିନ୍ସଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।