ଭୁୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସରକାରଙ୍କ ବଜେଟ୍ ଆକାର ମୋଟ୍ ୨ ଲକ୍ଷ ୯୦ ହଜାର କୋଟି ରହିଛି । ସବୁ ବର୍ଗକୁ ସୁହାଇଲା ପରି ମୋହନ ମାଝୀଙ୍କ ସରକାର ଏହି ବଜେଟ୍ ପ୍ରସ୍ତୁତ କରିଛନ୍ତି । ସବୁ କ୍ଷେତ୍ର ପରି କ୍ରୀଡା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଗାମୀ ୫ ବର୍ଷ ପାଇଁ କ୍ରୀଡା ପାଇଁ ୪ ହଜାର ୧୨୪ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯେଉଁଥିରେ ୨୦୨୫-୨୬ ପାଇଁ ୮୨୫ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି ।
ମୋହନ ମାଝୀ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭିତ୍ତିଭୂମି ପାଇଁ ଦେଶ-ବିଦେଶରେ ଓଡ଼ିଶାର ନାମ ଚର୍ଚ୍ଚା ହେଉଛି। ଚଳିତ ବର୍ଷ ଓଡ଼ିଶା ଏକ ଅନ୍ତର୍ଜାତୀୟ କ୍ରୀଡ଼ା କାର୍ୟ୍ୟକ୍ରମର ଆୟୋଜନ କରିବାକୁ ଯାଉଛି। ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେସନାଲ ଟୁର ପାଇଁ ପ୍ରସ୍ତୁତି ଚାଲିଛି। ଭାରତରେ ଏଭଳି କ୍ରୀଡ଼ା କାର୍ୟ୍ୟକ୍ରମ ପ୍ରଥମ ଥର ହେଉଛି।
ରାଜ୍ୟ ସରକାର କେନ୍ଦୁଝର, ସମ୍ବଲପୁର, ବ୍ରହ୍ମପୁର ଓ କୋରାପୁଟକୁ କ୍ରୀଡ଼ାର ହବ୍ କରିବାକୁ ଯାଉଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ୧୩ଟି ସ୍ଥାନରେ ନୂଆ ସୁଇମିଂପୁଲ ନିର୍ମାଣ କରାଯାଉଛି। ଆଗାମୀ ଦିନରେ ପ୍ରତି ଜିଲ୍ଲାରେ ସୁଇମିଂପୁଲ ନିର୍ମାଣ ହେବ। ରାଉରକେଲାରେ ୨ଟି ହାଇପରଫରମାନ୍ସ ସେଣ୍ଟର ହେବ। ଏଠାରେ ଆଥଲେଟିକ୍ସ ଏବଂ ତୀରନ୍ଦାଜୀ ପ୍ରଶିକ୍ଷଣ ଦିଆଯିବ।
ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମଧ୍ୟ ବିସ୍ତୃତ ଯୋଜନା କରିଛନ୍ତି। କ୍ରିକେଟ୍, ଭଲିବଲ, ଫୁଟବଲ ଓ ଆଥଲେଟିକ୍ ପାଇଁ ପ୍ରତି ବ୍ଲକରେ ଭିତ୍ତିଭୂମି ନିର୍ମାଣ କରାଯାଉଛି। ଏଥି ସହିତ ଇଣ୍ଡୋର ହଲ୍ ନିର୍ମାଣ କରାଯାଇ ଏଥିରେ ବେଡମିଣ୍ଟନ, ଟେବୁଲ ଟେନିସ ଓ ଅନ୍ୟ କ୍ରୀଡ଼ାକୁ ଯୋଡ଼ିବାକୁ ପ୍ରୟାସ କରାଯାଉଛ। ହକି, ୱେଟ୍ଲିଫ୍ଟିଂ, ଖୋଖୋ, ଜିମ୍ନାଷ୍ଟିକ୍ କ୍ଷେତ୍ରରେ ଓଡ଼ିଶାର ନାମ ଚାରିଆଡ଼େ ପ୍ରଶଂସା କରାଯାଉଛି। ଜାତୀୟ କ୍ରୀଡ଼ାରେ ଓଡ଼ିଶା ପ୍ରଶଂସୀନୟ ପ୍ରଦର୍ଶନ କରିଛି। ରାଜ୍ୟକୁ ୧୨ଟ ସ୍ବର୍ଣ୍ଣପଦକ ସହିତ ମୋଟ୍ ୪୬ଟି ପଦକ ଆସିଛି।