ହାଇଦ୍ରାବାଦ, ସେପ୍ଟେମ୍ବର ୨୬ (ଖବର ଓଡ଼ିଶା): ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷ ୩ ଟି-୨୦ ମ୍ୟାଚର ଶୃଙ୍ଖଳାକୁ ୨-୧ରେ ଜିତିଛି । ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ତୃତୀୟ ମୁକାବିଲାରେ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୩ୟ ମ୍ୟାଚରେ ବିରାଟ କୋହଲି ବିସ୍ଫୋରକ ପାଳି ଖେଳିଥିଲେ । ଏଥି ସହିତ ସେ କୋଚ ରାହୁଲ ଦ୍ରାବିଡ଼ଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।
ଅଷ୍ଟ୍ରେଲିଆର ବିପକ୍ଷରେ ୩ୟ ଟି-୨୦ ମ୍ୟାଚରେ ଏକଦା ଭାରତୀୟ ଟିମ୍ ସଂକଟ ପରିସ୍ଥିତିରେ ଫସିଥିଲା । କିନ୍ତୁ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ବଡ଼ ଦାୟିତ୍ୱ ତୁଲାଇ ଭାରତକୁ ବିଜୟ ଦେଇଥିଲେ । ବିରାଟ କୋହଲି ୪୮ଟି ବଲ୍ ଖେଳି ୬୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ୩ଟି ଚୌକା ଓ ୪ଟି ଛକା ସାମିଲ ଥିଲା । ନିଜର ଏହି ଇନିଂସ କାରଣରୁ ସେ ଭାରତୀୟ ଟିମ୍ର ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ ଅତିକ୍ରମ କରିଛନ୍ତି ।
ଭାରତ ତରଫରୁ ସଚିନ ତେନ୍ଦୁଲକର ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୬୩ ରନ୍ ସଂଗ୍ରହ କରିବା ପରେ କୋହଲି ୨ୟ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ କ୍ରିକେଟର ହୋଇଛନ୍ତି । ସେ ୪୭୧ଟି ମ୍ୟାଚରେ ୫୨୫ ପାଳିରେ ମୋଟ ୨୪,୦୭୬ ରନ୍ ସଂଗ୍ରହ କରିଛନ୍ତି । ଦ୍ରାବିଡଙ୍କ ରନ୍ ହେଉଛି ୫୦୪ ମ୍ୟାଚରେ ୫୯୯ ପାଲିରେ ୨୪,୦୬୪ ରନ୍ । ସଚିନ ତେନ୍ଦୁଲକର ୩୪,୩୫୭ ରନ୍ କରିଥିଲେ ।