ନୂଆଦିଲ୍ଲୀ, ଜୁନ୍ ୨୧ (ଖବର ଓଡ଼ିଶା): ଇଂଲଣ୍ଡ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆକୁ କରୋନା ଭାଇରସ ଡରାଇଛି । ଷ୍ଟାର ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଅଭ୍ୟାସ ମ୍ୟାଚ ଠାରୁ ଦୂରରେ ରହିବାରେ ଆଶଙ୍କା ରହୁଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଶ୍ୱିନ ୫ମ ଟେଷ୍ଟ ପାଇଁ ନିଜର ଟିମ୍ମେଟ ସହିତ ୟୁକେ ଯାଇନଥିଲେ । ରବିଚନ୍ଦ୍ରନ ଅଶ୍ୱିନ ଏବେ କ୍ୱାରେଣ୍ଟାଇନ୍ରେ ଅଛନ୍ତି । ଏବେ ସେ ଆବଶ୍ୟକ ପ୍ରୋଟୋକଲରେ ଅଛନ୍ତି । ସୂଚନାଯୋଗ୍ୟ, ଭାରତୀୟ ଟିମ ଜୁନ ୧୬ରେ ୟୁକେ ଗସ୍ତରେ ଯାଇଛି ।
ବିସିସିଆଇ ସୂତ୍ର ଅନୁସାରେ ଅଶ୍ୱିନ ଟିମ ସହିତ ୟୁକେ ଯାଇନାହାନ୍ତି । କାରଣ ତାଙ୍କୁ ପ୍ରସ୍ଥାନ ପୂର୍ବରୁ କୋଭିଡ-୧୯ ସଂକ୍ରମଣ ହୋଇଥିଲା । କିନ୍ତୁ ଆଶା କରାଯାଉଛି ଯେ, ଜୁଲାଇ ୧ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ମ୍ୟାଚ ପୂର୍ବରୁ ସେ ଠିକ ହୋଇଯାଇଥିବେ ।
ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼, ଯୁବ କ୍ରିକେଟର ଋଷଭ ପନ୍ତ ଓ ଶ୍ରେୟସ ଆୟର ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ଶେଷ ହେବା ପରେ ଲଣ୍ଡନ ପହଞ୍ଚିଛନ୍ତି । ମଙ୍ଗଳବାର ଏମାନେ ସମସ୍ତେ ଟିମ ଇଣ୍ଡିଆର ଖେଳାଳିଙ୍କ ଶିବିରରେ ଯୋଗଦେବେ ।