ମୁମ୍ବାଇ, ମେ ୧୬ (ଖବର ଓଡ଼ିଶା): ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୨ର ୬୩ତମ ମ୍ୟାଚ୍ରେ ଲଖନଉ ସୁପର ଜ୍ୟାଣ୍ଟସ୍କୁ ୨୪ ରନ୍ରେ ପରାସ୍ତ କରିଛି । ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମ୍ରେ ରବିବାର ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ସଂଜୁ ସାମସ୍ନଙ୍କ ନେତୃତ୍ୱରେ ଟିମ୍ ୬ଟି ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । ଜବାବରେ ଲଖନଉକୁ ୧୫୪ ରନ୍ରେ ଅଟକାଇଥିଲା । କେଏଲ୍ ରାହୁଲଙ୍କ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୧୫୪ ରନ୍ ସଂଗ୍ରହ କରିପାରିଥିଲା ।
ରାଜସ୍ଥାନର ବିଜୟରେ ଉଭୟ ବ୍ୟାଟର ଓ ବୋଲରଙ୍କ ଭୂମିକା ଥିଲା । ବ୍ୟାଟିଂ ପାଳିରେ ଯଶସ୍ୱୀ ଜୟସ୍ୱାଲ ସର୍ବାଧିକ ୪୧ ରନ୍ କରିଥିଲେ । ଦେବଦୂତ୍ତ ପଡ୍ଡିକଲ ୩୯ ରନ୍, ସଂଜୁ ସାମସନ୍ ୩୨ ରନ୍, ରିଆନ୍ ପରାଗ ୧୯ ରନ୍, ଟ୍ରେଣ୍ଟ ବୋଲ୍ଟ ଅପରାଜିତ ୧୭ ରନ୍, ଜିମ୍ମୀ ନୀଶମ ୧୪ ରନ୍, ରବିଚନ୍ଦ୍ରନ ଅଶ୍ୱିନ ଅପରାଜିତ ୧୦ ରନ୍ କରିଥିଲେ । ସେହିପରି ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟେ ବାଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା ଓ ଓବେଡ ମ୍ୟାକ୍କୋଏ ୨-୨ଟି ୱିକେଟ୍ ନେଇଥିଲେ । ଯୁଜବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
ଲଖନଉ ପାଇଁ ପ୍ରାରମ୍ଭିକ ବ୍ୟାଟର କ୍ୱିଣ୍ଟନ୍ ଡି’ କକ୍ ୭ ରନ୍ ଓ ଅଧିନାୟକ କେଏଲ୍ ରାହୁଲ ୧୦ ରନ୍ କରିଥିଲେ । ସେହିପର ଆୟୁଷ ବଦୋନୀ ଖାତା ଖୋଲିପାରି ନଥିଲେ । ଦୀପକ ହୁଡା ୫୯ ରନ୍ କରି ସ୍କୋର ଆଗକୁ ନେଇଥିଲେ । କୃଣାଲ ପାଣ୍ଡ୍ୟାଙ୍କ ବ୍ୟାଟରୁ ୨୫ ରନ୍ ଅମଳ ହୋଇଥିଲା ବେଳେ ମାର୍କସ ଷ୍ଟୋଇନିସ ୨୭ ରନ୍ କରିଥିଲେ ।