୨ୟ ଦିନିକିଆ: ଚାହର-ଭୁବନେଶ୍ୱର ଲେଖିଲେ ଇତିହାସ, ଶ୍ରୀଲଙ୍କାକୁ ୩ ୱିକେଟରେ ହରାଇଲା ଭାରତ
Khabar Odisha:Sports-cricket-India-beat-Sri-Lanka-in-2nd-ODI-at-Colombo

କଲମ୍ବୋ, ଜୁଲାଇ ୨୧(ଖବର ଓଡ଼ିଶା): ପ୍ରଥମ ମୁକାବିଲାରେ ବିଜୟୀ ହୋଇଥିବା ଭାରତୀୟ ଟିମ୍ ଶ୍ରୀଲଙ୍କାକୁ ଦ୍ୱିତୀୟ ଦିନିକିଆରେ ମଧ୍ୟ ପରାସ୍ତ କରିଛି । କଲମ୍ବୋସ୍ଥିତ ଆର୍ ପ୍ରେମଦାସା ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଭାରତକୁ ୨୭୬ ରନ୍ ଟାର୍ଗେଟ ଦେଇଥିଲା । ଜବାବରେ ଭାରତ ୪୯.୧ ଓଭରରେ ୭ଟି ୱିକେଟ ହରାଇ ୨୭୭ ରନ୍ ସଂଗ୍ରହ କରିପାରିଥିଲା । ଦ୍ୱିତୀୟ ଦିନିକିଆକୁ ୩ଟି ୱିକେଟରେ ବିଜୟୀ ହେବା ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ଜିତିଛି । ଶେଷ ଦିନିକିଆ ଜୁଲାଇ ୨୩ରେ ଖେଳାଯିବ । 

ଭାରତ ୧୯୩ ରନ୍‌ରେ ୭ଟି ମୂଲ୍ୟବାନ ୱିକେଟ ହରାଇବା ପରେ ଏକଦା ସଂଘର୍ଷପୂର୍ଣ୍ଣ ସମୟ ଦେଇ ଗତି କରୁଥିଲା । କିନ୍ତୁ ଦୀପକ ଚାହର ଏବଂ ଭୁବନେଶ୍ୱର କୁମାର ଅଷ୍ଟମ ୱିକେଟ ପାଇଁ ୮୪ ରନ୍ ଯୋଡ଼ି ଶ୍ରୀଲଙ୍କାର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲେ । ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତ ପାଇଁ ଦୀପକ ଚାହାର ବିଜୟର ଚୌକା ମାରିଥିଲେ । 

ଦ୍ରୁତ ବୋଲର ଦୀପକ ଚାହର ୮୨ଟି ବଲ ଖେଳି ୭ଟି ଚୌକା ଓ ଗୋଟଏ ଛକା ବଳରେ ବ୍ୟକ୍ତିଗତ ଭାବେ ଅପରାଜିତ ୬୯ ରନ୍ ସଂଗ୍ରହ କରି ବିଜୟର ଇତିହାସ ଲେଖଛନ୍ତି । ଏହି ଇନିଂସରେ ଭୁବନେଶ୍ୱର କୁମାରଙ୍କ ବଡ଼ ଯୋଗଦାନ ରହିଛି । ସେ ୨୮ଟି ବଲ ଖେଳି ୨ଟି ଚୌକା ବଳରେ ଅପରାଜିତ ୧୯ ରନ୍ ସଂଗ୍ରହ କରିଥିଲେ । ଶ୍ରୀଲଙ୍କା ପୂର୍ବରୁ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ୱିକେଟ ହରାଇ ୨୭୫ ରନ୍ କରିଥିଲା । 

ଦ୍ୱିତୀୟ ଦିନିକିଆରେ ଭାରତର ଆଗଧାଡ଼ିର ବ୍ୟାଟ୍‌ସମ୍ୟାନମାନେ ଭଲ ସ୍କୋର କରି ନଥିଲେ । କିନ୍ତୁ ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ୍‌ରୁ ଦଳକୁ ୫୩ ରନ୍ ମିଳିଥିଲା । ସୂର୍ଯ୍ୟକୁମାର ୪୪ଟି ବଲ ଖେଳି ୬ଟି ଚୌକା ସହାୟତାରେ ୫୩ ରନ୍ କରିଥିଲେ । ମନୀଷ ପାଣ୍ଡେ ୩୩ ରନ୍‌, ପୃଥ୍ୱୀ ଶ’ ୧୩ ରନ୍‌, ଶିଖର ଧାୱନ ୨୯ ରନ୍ ଓ ଈଷନ କିଷନ ମାତ୍ର ୧ ରନ୍ କରିଥିଲେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଶୂନ୍ୟ ରନ୍ ଓ କ୍ରୁଣାଳ ପାଣ୍ଡ୍ୟା ୩୫ ରନ୍ ଯୋଡ଼ିଥିଲେ । 

 

  • Tags:

Subscribe

National International State Sports Entertainment