ଆଇପିଏଲ୍‌: ଶେଷ ଓଭରକୁ ଚମତ୍କାର ଖେଳିଲେ ଧୋନୀ, ୯ମ ଥର ଫାଇନାଲରେ ପହଂଚିଲା ଚେନ୍ନାଇ
Khabar Odisha:Sports-cricket-Chennai-beats-Delhi-by-4-wickets-as-entre-final-9th-time-in-IPL

ଦୁବାଇ, ଅକ୍ଟୋବର ୧୧ (ଖବର ଓଡ଼ିଶା): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୧ର କ୍ବାଲିଫାୟର-୧ରେ ଚେନ୍ନାଇ ସୁପର କିଙ୍ଗ୍‌ସର ବିଜୟ ହୋଇଛି। ଏଥି ସହିତ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍‌ ଆଇପିଏଲ୍‌ର ଚଳିତ ସଂସ୍କରଣରେ ଫାଇନାଲରେ ପହଂଚିଛି। ଅଧିନାୟକ ଧୋନୀ ଶେଷ ଓଭରରେ ଚମତ୍କାର ଖେଳି ନିଜ ଟିମକୁ ଐତିହାସିକ ବିଜୟ ଦେଇଛନ୍ତି। ତେବେ ଚେନ୍ନାଇ ଆଇପିଏଲରେ ୯ମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି। 

ଚେନ୍ନାଇ ସୁପର କିଙ୍ଗ୍‌ସ ଯେତେବେଳେ ୧୯ତମ ଓଭର ଖେଳୁଥିଲା, ସେହି ସମୟରେ କ୍ରିଜରେ ଥିଲେ ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାଏକୱାଡ। କିନ୍ତୁ ଗାଏକୱାଡ ଆଉଟ ହୋଇଯିବା ପରେ ଧୋନୀ ପଡ଼ିଆକୁ ପ୍ରବେଶ କରିଥିଲେ। ଧୋନୀ ଫର୍ମ ବାହାରେ ଥିଲେ ମଧ୍ୟ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟରେ ନିଜ ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇଥିଲେ। ସମସ୍ତେ ଭାବୁଥିଲେ ଯେ, ରବୀନ୍ଦ୍ର ଜାଦେଜା ବ୍ୟାଟିଂ କରିବାକୁ ଆସିବେ। କିନ୍ତୁ ଧୋନୀ ପୁଣି ଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। 

ଏମ୍‌ଏସ ଧୋନୀ ଗୋଟିଏ ଓଭର (୨୦ତମ) ଖେଳିଥିଲେ। ସେ ପ୍ରଥମ ବଲରୁ କୌଣସି ରନ ସଂଗ୍ରହ କରିପାରି ନଥିଲେ। କିନ୍ତୁ ଦ୍ବିତୀୟ ବଲକୁ ଛକା ମାରିଥିଲେ। ତୃତୀୟ ବଲରୁ ମଧ୍ୟ କୌଣସି ରନ ହୋଇ ନଥିଲା। କିନ୍ତୁ ପରବର୍ତ୍ତୀ ୩ଟି ବଲକୁ ହ୍ୟାଟ୍ରିକ ଚୌକା ମାରି ଦଳକୁ ଅବିଶ୍ବନୀୟ ବିଜୟ ଦେଇଥିଲେ। 

ସୂଚନାଯୋଗ୍ୟ, ଚେନ୍ନାଇ ଆଇପିଏଲ୍‌ର ୨୦୧୦, ୨୦୧୧ ଓ ୨୦୧୮ରେ ଚାମ୍ପିଅନ ହୋଇଛି। ସେହିପରି ୨୦୦୮, ୨୦୧୨, ୨୦୧୩, ୨୦୧୫ ଓ ୨୦୧୯ରେ ଉପବିଜେତା ରହିଛି। 

ରବିବାର ମ୍ୟାଚରେ ଚେନ୍ନାଇ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୭୨ ରନ କରିଥିଲା। ଫଳରେ ଚେନ୍ନାଇ ଟିମ୍‌କୁ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା। ଏହି ବିଜୟ ଲକ୍ଷ୍ୟକୁ ଚେନ୍ନାଇ ୧୮.୪ ଓଭରରେ ୬ଟି ୱିକେଟ ହରାଇ ହାସଲ କରିଥିଲା। 

 

 

  • Tags:

Subscribe

National International State Sports Entertainment