ନୂଆଦିଲ୍ଲୀ, ଜାନୁଆରୀ ୧୬ (ଖବର ଓଡ଼ିଶା): ଟିମ୍ ଇଣ୍ଡିଆର ବରିଷ୍ଠ ଖେଳାଳି ବିରାଟ କୋହଲି ଶନିବାର ସନ୍ଧ୍ୟାରେ ଅଧିନାୟକ ପଦରୁ ଇସ୍ତଫା ଦେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ବୟାନ ଆସିଛି। ଗାଙ୍ଗୁଲି ଟୁଇଟ୍ କରି କହିଛନ୍ତି, ବିରାଟଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ୍ ତିନି ଫର୍ମାଟରେ ଭଲ ପ୍ରଦର୍ଶନ କରିଛି। ଏହା ବିରାଟଙ୍କ ବ୍ୟକ୍ତିଗତ ନିଷ୍ପତ୍ତି ଓ ବିସିସିଆଇ ଏହାର ସମ୍ମାନ କରୁଛି। ସେ ଏବେ ବି ଏହି ଟିମ୍ର ସଦସ୍ୟ ଅଛନ୍ତି। ବିରାଟ ଜଣେ ମହାନ ଖେଳାଳି। ବହୁତ ଭଲ ବିରାଟ କୋହଲି।
ମାତ୍ର ଗାଙ୍ଗୁଲିଙ୍କ ଏହି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କାରଣ ଅଧିନାୟକ ମାମଲାରେ ତାଙ୍କର ବିରାଟଙ୍କ ସହିତ ଭଲ ସଂପର୍କ ନାହିଁ ବୋଲି କ୍ରିକେଟ ଜଗତରେ ଚର୍ଚ୍ଚା ହୋଇଥାଏ। ସୂଚନାଯୋଗ୍ୟ, ବିରାଟ କୋହଲି ଗତକାଲି ଅଚାନକ ଟେଷ୍ଟ କ୍ରିକେଟରେ ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ। କୋହଲିଙ୍କ ଏହି ଅଚାନକ ଘୋଷଣାକୁ କ୍ରୀଡାପ୍ରେମୀ ହଠାତ ଗ୍ରହଣ କରିପାରି ନଥିଲେ।