ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ଚଳିତ ମାସ ୨୭ ତାରିଖ ଠାରୁ ବହୁ ପ୍ରତୀକ୍ଷିତ ୧୫ତମ ଏସିଆ କପ୍ ଆରମ୍ଭ ହେବାକୁ ଯାଉଛି । ଟିମ ଇଣ୍ଡିଆ ଏହି ପ୍ରତିଯୋଗିତାରେ ସବୁଠାରୁ ସଫଳ ଟିମ୍ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କାରଣ ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ୭ ଥର ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇସାରିଛି । ଭାରତୀୟ ଟିମ ଏଥର ମଧ୍ୟ ଚାମ୍ପିଅନ ହେବାକୁ ଆଶା ରଖିଛି । କିନ୍ତୁ ସଫଳତା ପାଇବାକୁ ହେଲେ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ମଜବୁତ ଟିମ୍କୁ ପରାସ୍ତ କରିବାକୁ ପଡ଼ିବ ।
ଏସିଆ କପ୍ ୧୯୮୪ ମସିହାରେ ପ୍ରଥମ ଥର ଆୟୋଜିତ ହୋଇଥିଲା । ସେହିଦିନ ଠାରୁ ଏପର୍ଯ୍ୟନ୍ତ ଅନେକ ରେକର୍ଡ ହୋଇସାରିଛି । କିଛି ଏଭଳି ରେକର୍ଡ ମଧ୍ୟ ହୋଇଛି, ଯାହା କି ପ୍ରଶଂସକମାନେ ମଧ୍ୟ ଜାଣି ନଥିବେ । ବୀରେନ୍ଦ୍ର ସେହୱାଗ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଭଲଭାବରେ ଜଣାଶୁଣା । କିନ୍ତୁ ଏସିଆ କପରେ ବୋଲର ଭାବେ ସ୍ୱତନ୍ତ୍ର ରେକର୍ଡ ରହିଛି । ୨୦୧୦ ରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ୨.୫ ଓଭର ବୋଲି କରି ୬ ରନ୍ ଦେଇଥିଲେ ଏବଂ ୪ଟି ୱିକେଟ ନେଇଥିଲେ ।
ଅରଶଦ ଆୟୁବ ଏକମାତ୍ର ଭାରତୀୟ ବୋଲର, ଯିଏକି ଏସିଆ କପରେ ୫ ୱକେଟ ଗୋଟିଏ ମ୍ୟାଚରେ ୨୧ ରନ୍ ଦେଇ ୫ଟି ୱିକେଟ ନେଇଥିଲେ । ଏହା ଥିଲା ୧୯୮୮ରେ ପାକିସ୍ତାନ ବିପକ୍ଷ ମ୍ୟାଚ । ବିଗତ ୧୪ଟି ସଂସ୍କରଣରେ ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇ ନାହିଁ । ତେଣୁ ଏଥର ପ୍ରଶଂସକ ସ୍ୱତନ୍ତ୍ର ଆଶା ରଖିଛନ୍ତି । ବାଂଲାଦେଶ ଏହି ଟୁର୍ଣ୍ଣାମେଣ୍ଟରେ ୧୩ ଥର ଭାଗ ନେଇଛି । କିନ୍ତୁ କେବେବି ଜିତିନାହିଁ ।