କରୋନା ପ୍ରଭାବ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ୱିମ୍ବଲଡନ-୨୦୨୦ ରଦ୍ଦ ହେଲା
Khabar Odisha:Sports-Wimbeldon-2020-postponed-due-to-corona-virus-after-second-World-War-cancelled

ଲଣ୍ଡନ, ଏପ୍ରିଲ ୦୨ (ଖବର ଓଡ଼ିଶା): ବିଶ୍ୱବ୍ୟାପୀ କ୍ରୀଡ଼ା କ୍ୟାଲେଣ୍ଡରକୁ ଧ୍ୱଂସ କରିଥିବା କରୋନା ଭାଇରସର ପ୍ରଭାବ ଶେଷରେ ୱିମ୍ବଲଡନ-୨୦୨୦ ଉପରେ ପଡ଼ିଛି । କରୋନା ଭାଇରସ ଯୋଗୁଁ ୱିମ୍ବଲଡନକୁ ରଦ୍ଦ କରି ଦିଆଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବପୁରାତନ ଗ୍ରାଣ୍ଡ ସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ‘ୱିମ୍ବଲଡନ’କୁ ବାତିଲ କରି ଦିଆଯାଇଛି । ଅଲ ଇଂଲଣ୍ଡ କ୍ଲବ ଜରୁରୀକାଳୀନ ବୈଠକ ପରେ ଏହି ଘୋଷଣା କରିଥିବା ଜଣାଯାଇଛି । କ୍ଲବ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ କରୋନା ଭାଇରସ ପାଇଁ ବିଶ୍ୱର ଏହି ଲୋକପ୍ରିୟ ଟେନିସ ଟୁର୍ଣ୍ଣାମେଣ୍ଟର ଆୟୋଜନ ହେବ ନାହିଁ । ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ କ୍ଲବର ଗ୍ରାସକୋର୍ଟରେ ଆଗାମୀ ଜୁନ ୨୯ରୁ ଜୁଲାଇ ୧୨ ମଧ୍ୟରେ ଖେଳାଯିବାର ଥିଲା । 

ଆୟୋଜକ ସଂସ୍ଥା ତରଫରୁ ଏକ ବୟାନରେ କୁହାଯାଇଛି ଯେ, ବହୁତ ଦୁଃଖର ସହିତ ଇଂଲଣ୍ଡ କ୍ଲବର ବୋର୍ଡ ଓ ଚାମ୍ପିୟନଶିପର ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛି ଯେ, କରୋନା ଭାଇରସ ମହାମାରୀ ଯୋଗୁଁ ୱିମ୍ବଲଡନ-୨୦୨୦ ଖେଳା ଯିବ ନାହିଁ । ଏବେ ଆସନ୍ତା ସଂସ୍କରଣ ୨୦୨୧ ଜୁନ ୨୯ରୁ ଜୁଲାଇ ୧୧ ମଧ୍ୟରେ ଖେଳାଯିବ । 

ଏହି ଟୁର୍ଣ୍ଣାମେଣ୍ଟ ୧୮୭୭ ମସିହାରେ ପ୍ରଥମ ଥର ପାଇଁ ଖେଳାଯାଇଥିଲା । ଏହା ପର ଠାରୁ ପ୍ରତିବର୍ଷ ଆୟୋଜନ ହୋଇ ଆସୁଥିଲା । କେବଳ ୧୯୧୫ ରୁ ୧୯୧୮ ମଧ୍ୟରେ ପ୍ରଥମ ବିଶ୍ୱଯୁଦ୍ଧ ଓ ୧୯୪୦ ରୁ ୧୯୪୫ ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ଖେଳାଯାଇ ନଥିଲା । 

କରୋନା ଭାଇରସ ଯୋଗୁଁ ଟୋକିଓ ଅଲିମ୍ପିକ-୨୦୨୦କୁ ସ୍ଥଗିତ ରଖାଯାଇଛି । ୱିମ୍ବଲଡନ ଏହି ମହାମାରୀ କାରଣରୁ ରଦ୍ଦ ହୋଇଥିବା ପ୍ରଥମ ଗ୍ରାଣ୍ଡସ୍ଲାମ । ମେ’ ମାସରେ ହେବାକୁ ଥିବା ଫ୍ରଞ୍ଚ ଓପନ ଏବେ ସେପ୍ଟେମ୍ବର ଶେଷରେ, ଆମେରିକା ଓପନ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧୩ ମଧ୍ୟରେ ନ୍ୟୁୟର୍କରେ ଖେଳାଯିବ । 

 

  • Tags:

Subscribe

National International State Sports Entertainment