୪୩ତମ ଶତକ ସହ ବିରାଟ କୋହଲିଙ୍କ ରେକର୍ଡ, ସଚିନଙ୍କ ସହ ହେଲେ ସମକକ୍ଷ
Khabar Odisha:Sports-cricket-Virat-Kohli-hits-43rd-century-equals-Sachin-Tendulkars-record-of-most-odi-100s-vs-a-team

ନୂଆଦିଲ୍ଲୀ, ଅଗଷ୍ଟ ୧୫ (ଖବର ଓଡ଼ିଶା): ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ୧୦ ବର୍ଷ ତଳେ ଯେତେବେଳେ ପଡ଼ିଆକୁ ପ୍ରବେଶ କରୁଥିଲେ କିଛି ନା କିଛି ରେକର୍ଡ ପ୍ରତିଷ୍ଠା ହେଉଥିଲା । ମାତ୍ର ଏବେ ସମୟ ବଦଳି ଯାଇଛି । ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଯଦି କିଛି ରେକର୍ଡ ପ୍ରତିଷ୍ଠା କରୁଛନ୍ତି, ସେହି ସମୟରେ ଅନ୍ୟ କ୍ରିକେଟରଙ୍କ ରେକର୍ଡ ଭଙ୍ଗ ହେଉଛି । ଆଉ ଏଥିରୁ ସଚିନ ତେନ୍ଦୁଲକର ମଧ୍ୟ ବାଦ ପଡ଼ି ନାହାନ୍ତି । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ଶେଷ ହୋଇଥିବା ଦିନିକିଆରେ କୋହଲି ୪୩ତମ ଶତକ ହାସଲ କରି ଆଉ ଏକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେ ଗୋଟିଏ ଟିମ ବିପକ୍ଷରେ ଶତକ ମାରିବା ମାମଲାରେ ସଚିନଙ୍କ ସମକକ୍ଷ ହୋଇପାରିଛନ୍ତି । 

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ପୋର୍ଟ ଅଫ ସ୍ପେନରେ ଖେଳାଯାଇଛି । ୱେଷ୍ଟଇଣ୍ଡିଜ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା ଓ ବର୍ଷା ବାଧିତ ମ୍ୟାଚରେ ୩୫ ଓଭରରେ ୭ ୱିକେଟ ହରାଇ ୨୪୦ ରନ କରିଥିଲା । ଫଳରେ ମ୍ୟାଚକୁ ୩୫-୩୫ ଓଭର କରି ଦିଆଯାଇଥିଲା । ଡକୱାର୍ଥ ଲୁଇସ ନିୟମ ଅନୁସାରେ ଭାରତକୁ ୨୫୫ ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଭାରତୀୟ ଟିମ ୩୨.୩ ଓଭରରେ ୪ ୱିକେଟ ହରାଇ ୨୫୬ ରନ ସଂଗ୍ରହ କରିବା ସହିତ ମ୍ୟାଚ ଜିତିଛି । 

ଭାରତର ବିଜୟରେ କୋହଲିଙ୍କ ବଡ଼ ଭୂମିକା ଅଛି । ସେ ୯୯ଟି ବଲ ଖେଳି ୧୧୪ ରନ କରିଛନ୍ତି । ବିରାଟ ନିଜର ଇନିଂସରେ ୧୪ଟି ଚୌକା ମାରିବା ସହିତ ଅପରାଜିତ ପାଭଲିଅନ ଫେରିଛନ୍ତି । ବିରାଟ ୨୩୯ ଦିନିକିଆ ମ୍ୟାଚରେ ୧୧ ହଜାର ୫୨୦ ରନ କରିଛନ୍ତି । ସେ ସର୍ବାଧିକ ରନ ସଂଗ୍ରହ କରିବା ମାମଲାରେ ୮ମ ସ୍ଥାନରେ ଅଛନ୍ତି । ସଚିନ ତେନ୍ଦୁଲକର ୧୮ ହଜାର ୪୨୬ ରନ କରି ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି । ସଚିନ ସର୍ବାଧିକ ୪୯ଟି ଦିନିକିଆ ଶତକ ମାରିଛନ୍ତି । 

ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ ୯ ଥର ଶତକ ହାସଲ କରିଛନ୍ତି । ଏଥି ସହିତ ସେ ଏକ ଟିମ ବିରୋଧରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳି ହୋଇପାରିଛନ୍ତି । ସଚିନ ତେନ୍ଦୁଲକରଙ୍କ ରେକର୍ଡ ସମକକ୍ଷ ହୋଇପାରିଛନ୍ତି । ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ଶତକ ମାରିଛନ୍ତି । କୋହଲି ସବୁଠାରୁ କମ ଇନିଂସ ଖେଳି ୪୩ତମ ଶତକ ହାସଲ କରିଛନ୍ତି, ଯାହାକି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କରିପାରି ନାହାନ୍ତି । କୋହଲି ୱେଷ୍ଟଇଣ୍ଡିଜ ମାଟିରେ ୪ର୍ଥ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଏହି ରେକର୍ଡ ମ୍ୟାଥୁ ହେଡେନ, ହାସିମ ଆମଲ ଓ ଜୋଏ ରୁଟଙ୍କ ନାମରେ ଥିଲା । ଏମାନେ ସମସ୍ତେ ୱେଷ୍ଟଇଣ୍ଡିଜରେ ୩-୩ ଶତକ ମାରିଛନ୍ତି । 

      

 

  • Tags:

Subscribe

National International State Sports Entertainment