ନୂଆଦିଲ୍ଲୀ, ମେ ୧୪ (ଖବର ଓଡ଼ିଶା): ବ୍ୟାଡମିଣ୍ଟନରେ ଟିମ୍ ଇଣ୍ଡିଆର ଖେଳାଳି ଇତିହାସ ରଚିଛନ୍ତି । ବ୍ୟାଙ୍ଗକକ୍ରେ ଚାଲିଥିବା ଥୋମାସ କପ୍ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଟିମ୍ ଫାଇନାଲରେ ପହଞ୍ଚିଛି । ଶୁକ୍ରବାର ଖେଳାଯାଇଥିବା ସେମିଫାଇାନାଲ ମୁକାବିଲାରେ ଭାରତ ୩-୨ରେ ଡେନମାର୍କକୁ ପରାସ୍ତ କରିଛି । ଭାରତୀୟ ଟିମ୍ର ବିଜୟରେ ହିରୋ ହୋଇଛନ୍ତି ଏଚ୍ଏସ୍ ପ୍ରଣୟ । ସେ ନିର୍ଣ୍ଣାୟକ ମୁକାବିଲାରେ ରାସ୍ମସ ଗେମ୍କେଙ୍କୁ ପରାସ୍ତ କରିଥିଲେ ।
ବିଶ୍ୱର ୩ ନମ୍ବର ଖେଳାଳି ଗେମକେଙ୍କ ବିରୋଧରେ ପ୍ରଣୟ କୋର୍ଟରେ ଖସିଯିବାରୁ ଆହତ ମଧ୍ୟ ହୋଇଛନ୍ତି । କିନ୍ତୁ ଭାରତୀୟ ଖେଳାଳି ମେଡିକାଲ ଟାଇମଆଉଟ ନେବା ପରେ ମୁକାବିଲା ଜାରି ରଖିଥିଲେ । ପ୍ରଣୟ କୋର୍ଟରେ ଯନ୍ତ୍ରଣା ପାଉଥିବା ଦେଖାଯାଇଥିଲେ । କିନ୍ତୁ ଏହା ପରେ ବି ସେ ୧୩-୨୧ ୨୧-୯ ୨୧-୧୨ରେ ମ୍ୟାଚ ଜିତିଥିଲେ ।
ଡେନମାର୍କ ବିରୋଧରେ ପ୍ରଥମ ମୁକାବିଲାରେ ବିଶ୍ୱ ଚାମ୍ପିଅନସିପର କାଂସ୍ୟ ପଦକ ବିଜେତା ଲକ୍ଷ୍ୟ ସେନ୍ ନିଜର ନିକଟତମ ପ୍ରଦର୍ଶନର ପୁନରାବୃତ୍ତି କରିପାରିନାହାନ୍ତି । ସେନକୁ ଭକ୍ଟକ୍ଟଳ ଏକ୍ସେଲସେନଙ୍କ ହାତରେ ୧୩ ୨୧ ୧୩-୨୧ରେ ପରାଜିତ ହେବାକୁ ପଡ଼ିଛି । ଭାରତୀୟ ଯୋଡ଼ି ସାତ୍ୱିକ ସାଇରାଜ ଓ ରଙ୍କିରେଡ୍ଡି, କିମ ଅଷ୍ଟୁପ ଓ ମାଥିୟାସ କ୍ରିଷ୍ଟିୟନସେନଙ୍କୁ ୨୧-୧୮ ୨୧-୨୩ ୨୨-୨୦ରେ ପରାସ୍ତ କରିଛନ୍ତି ।
ଭାରତୀୟ ଟିମ ୧୯୭୯ ପରେ କେବେ ବି ସେମିଫାଇନାଲରୁ ଆଗକୁ ବଢ଼ିପାରି ନଥିଲା । କିନ୍ତୁ ଏଥର ଫାଇନାଲକୁ ଯାଇଛି । ଭାରତୀୟ ଟିମ ଗୁରୁବାର ୫ଥର ଚମ୍ପିଅନ ମଲେସିଆକୁ ୩-୨ରେ ହରାଇ ସେମିଫାଇନାଲରେ ସ୍ଥାନ ପାଇଥିଲା ।