ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡ଼ିଶା): ଚଳିତ ମାସ ୧୮ ତାରିଖ ଠାରୁ ଭାରତ-ଜିମ୍ବାୱେ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଆରମ୍ଭ ହେଉଛି । ପୂର୍ବରୁ ଏହି ଶୃଙ୍ଖଳା ପାଇଁ ପ୍ରାରମ୍ଭିକ ବ୍ୟାଟର ଶିଖର ଧୱନ ହେବେ ବୋଲି କୁହାଯାଉଥିଲା । କିନ୍ତୁ ପରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟିମ୍ରେ ପରିବର୍ତ୍ତନ ଆଣି କେଏଲ ରାହୁଲଙ୍କୁ ଅଧିନାୟକ ପଦ ଦେଇଛି । ଶିଖର ଧୱନଙ୍କୁ ଏହି ଶୃଙ୍ଖଳା ପାଇଁ ଉପଅଧିନାୟକ କରାଯାଇଛି ।
ଭାରତୀୟ ଟିମ ହରାରେ କ୍ଲବରେ ଜୋରଦାର ଅଭ୍ୟାସ କରିଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଭାରତୀୟ ଟିମ୍ ଯେଉଁଠାରେ ଅଭ୍ୟାସ କରୁଥିଲା, ସେଠାରେ ଓପନର ବ୍ୟାଟର ଈଶାନ କିଶନଙ୍କ ପ୍ରଶଂସକ ଆଶିଷଙ୍କୁ ଦେଖାଯାଇଥିଲା । ଦାବି କରାଯାଉଛି ଯେ, ଏହି ପ୍ରଶଂସକଙ୍କ ଘର ବିହାର ରାଜଧାନୀ ପାଟଣାସ୍ଥିତ କଂକଡବାଗର ଈଶାନ କିଶନଙ୍କ ଘରଠାରୁ ମାତ୍ର ୫ରୁ ୧୦ କିଲୋମିଟର ଦୂର ।
ଆଶିଷଙ୍କୁ ଈଶାନ କିଶନଙ୍କୁ ଭେଟିବା ପାଇଁ ନେଟ ପାଖରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା । ଭାରତୀୟ ଖେଳାଳି ବହୁତ ପରିଶ୍ରମ କରୁଥିଲେ । ଆଶିଷଙ୍କ ଇଚ୍ଛା ପୂରା ହୋଇଛି । ଅଭ୍ୟାସ ଅଧିବେଶନ ପରେ ଡ୍ରେସିଂ ଫେରୁଥିବା ବେଳେ ଈଶାନ କିଶନଙ୍କୁ ଆଶିଷ ଭେଟିଛନ୍ତି । ଈଶାନଙ୍କ ସହିତ ଆଶିଷ ସେଲ୍ଫି ନେଇଛନ୍ତି ।