ନୂଆଦିଲ୍ଲୀ, ଜାନୁଆରୀ ୨୦ (ଖବର ଓଡ଼ିଶା): ବ୍ରିସବେନର ଗାବା ପଡ଼ିଆରେ ମଙ୍ଗଳବାର ଟିମ ଇଣ୍ଡିଆ ଇତିହାସ ରଚିଛି । ଏଠାରେ ୩୩ ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆ ମ୍ୟାଚ ହାରି ନଥିଲା । କିନ୍ତୁ ଜାନୁଆରୀ ୧୯ ତାରିଖରେ ଭାରତୀୟ ଟିମ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥି ସହିତ ଭାରତୀୟ ଟିମ ବର୍ଡର-ଗାଭାସ୍କର ଟ୍ରଫିରେ କ୍ରମାଗତ ଭାବେ ତୃତୀୟ ଥର ଜିତି ହ୍ୟାଟ୍ରିକ ମାରିଛି ।
ଏହି ବିଜୟ ଯୋଗୁଁ ଟିମ ଇଣ୍ଡିଆକୁ ଏକ ବଡ଼ ଅଭିଜ୍ଞତା ହାସଲ ହୋଇଛି । ୪ର୍ଥ ଟେଷ୍ଟରେ ୩ ୱିକେଟରେ ଭାରତୀୟ ଟିମ ମ୍ୟାଚ ଜିତି ଶୃଙ୍ଖଳାକୁ ୨-୧ରେ ନିଜ ନାଁରେ କରିଥିଲା । ଏଥି ସହିତ ଭାରତୀୟ ଟିମ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ତାଲିକାରେ ଶୀର୍ଷ ସ୍ଥାନରେ ପହଂଚିଛି ।
ଇଂଲଣ୍ଡ ଶୃଙ୍ଖଳା ଲାଗି ଟିମ ଇଣ୍ଡିଆର ଘୋଷଣା
ଇଂଲଣ୍ଡ ବିରୋଧରେ ଟେଷ୍ଟ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ ଲାଗି ଭାରତୀୟ ଟିମ ଘୋଷଣା ହୋଇଯାଇଛି । ପ୍ରଥମ ୨ଟି ମ୍ୟାଚ ଲାଗି ୧୮ ଜଣିଆ ଦଳରେ ବିରାଟ କୋହଲି, ଈଶାନ୍ତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମକୁ ପ୍ରତ୍ୟାବର୍ତ୍ତନ ହୋଇଛି । ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମଧ୍ୟ ଭାରତୀୟ ଟିମରେ ସ୍ଥାନ ମିଳିଛି । କିନ୍ତୁ ଶେଷ ଟେଷ୍ଟରେ ପଦାର୍ପଣ କରିଥିବା ଟି ନଟରାଜନଙ୍କୁ ଦଳରେ ସ୍ଥାନ ମିଳିପାରି ନାହିଁ ।
ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟେଷ୍ଟ ଟିମରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଦ୍ଧିମାନ ଶାହା, ଆର. ଅଶ୍ୱିନ, କୁଳଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଲ ଠାକୁର ।