ନୂଆଦିଲ୍ଲୀ: ପୁଣି ଥରେ ଆହତ ହୋଇ ମହମ୍ମଦ ଶାମି ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡ଼ି ପାରନ୍ତି ବୋଲି ବୁଧବାର ଗଣମାଧ୍ୟମରେ ଏମିତି ଖବର ପ୍ରକାଶ ପାଇଥିଲା। ଏହି ଖବର ଭାରତୀୟ ଦଳଠୁ ନେଇ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ପ୍ରକାର ଝଟକା ଥିଲା । ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ଖୋଦ୍ ଭାରତୀୟ କ୍ରିକେଟ୍ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି। ବୁଧବାର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି, ଆଗାମୀ ବର୍ଡର-ଗାଭାସ୍କର ଟ୍ରଫିରୁ ସେ ବାଦ୍ ପଡ଼ୁଥିବା ଖବର ସଂପୂର୍ଣ୍ଣ ମିଥ୍ୟା। ନା ସେ ଏହି ବିଷୟରେ କିଛି କହିଛନ୍ତି ନା ବିସିସିଆଇ ପକ୍ଷରୁ ଏ ସଂପର୍କରେ ଆନୁଷ୍ଠାନିକ ସୂଚନା ଦିଆଯାଇଛି ।
ଶାମି କହିଛନ୍ତି, ଏହି ଧରଣର ଗୁଜବ ପ୍ରଚାର କାହିଁକି କରାଯାଉଛି ? ମୁଁ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ଓ ପଡିଆକୁ ଫେରିବାକୁ ବହୁ ପରିଶ୍ରମ କରୁଛି । ମୁଁ ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡ଼ିବା ନେଇ ନା ବିସିସିଆଇ ଏବଂ ନା ମୋ ପକ୍ଷରୁ କିଛି ସୂଚନା ଦିଆଯାଇଛି। ମୁଁ ଲୋକଙ୍କୁ ଅନୁରୋଧ କରୁଛି ସେମାନେ ଏହି ଧରଣର ଆଧାରହୀନ ପ୍ରସାରିତ ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। ଦୟା କରି ମୋ ବୟାନ ବିନା ଏମିତି ମିଛ ଖବର ପ୍ରଚାର କରନ୍ତୁ ନାହିଁ।
ମହମ୍ମଦ ଶାମିଙ୍କ ଏହି ବୟାନ ଆସିବା ପରେ ଏହି ତାରକା ବୋଲରଙ୍କ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଜରିଆରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଅକ୍ଟୋବର ୧୯ରେ ବେଙ୍ଗାଲୁରୁରୁ ଆରମ୍ଭ ହେଉଛି। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଶାମିଙ୍କ ଏଥିରୁ ଗୋଟିଏ ମ୍ୟାଚ୍ ଖେଳିବା ନେଇ ଆଶା କରାଯାଉଛି। କାରଣ ଅଷ୍ଟ୍ରେଲିଆ ସିରିଜ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହି ସିରିଜ୍ ସ୍ଥିର କରିବ କେଉଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରେ ଫାଇନାଲରେ ପ୍ରବେଶ କରିବ ।
ଏହି ଡାହାଣହାତୀ ୩୪ ବର୍ଷୀୟ ଦ୍ରୁତ ବୋଲର ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ନଭେମ୍ବର ୧୯ରେ ଅହମ୍ମଦାବାଦରେ ଖେଳାଯାଇଥିବା ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରଠୁ ଦଳରୁ ବାହାରେ ଅଛନ୍ତି। ଚଳିତ ବର୍ଷ ଫେବୃଆରୀରେ ଇଂଲଣ୍ଡରେ ତାଙ୍କ ଗୋଇଠିର ସର୍ଜରୀ ହୋଇଥିଲା। ଏହା ପରେ ସେ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ରିହାବ୍ ଦେଇ ଗତି କରୁଛନ୍ତି।