ନୂଆଦିଲ୍ଲୀ: ଘରୋଇ କ୍ରିକେଟରେ ବଡ ବଡ ଇନିଂସ ଖେଳି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସରଫରାଜ ଖାନଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଦଳରେ ସୁଯୋଗ ମିଳିପାରେ । ସରଫରାଜ ଖାନ ଲଖନଉରେ ଖେଳା ଯାଉଥିବା ଇରାନୀ କପରେ ଅବଶିଷ୍ଟ ଭାରତ ବିପକ୍ଷରେ ଦ୍ୱିଶତକ ଅର୍ଜନ କରି ମୁମ୍ବାଇକୁ ବିଶାଳ ସ୍କୋରରେ ପହଞ୍ଚାଇ ଦେଇଛନ୍ତି । ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୧୦୦ ରନ କରି ପାରି ନାହାନ୍ତି । ଅଧିନାୟକ ଆଜିଙ୍କ୍ୟ ରାହାଣେ ୯୭ ରନର ଦ୍ୱିତୀୟ ସର୍ବାଧିକ ଇନିଂସ ଖେଳିଛନ୍ତି ।
ସରଫରାଜ ଖାନ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସାମିଲ ଥିଲେ । ମାତ୍ର ତାଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିନାହିଁ । ତାଙ୍କ ସ୍ଥାନରେ କେଏଲ ରାହୁଲଙ୍କୁ ସୁଯୋଗ ମିଳିଥିଲା, ଯିଏ ଆଖି ଦୃଶିଆ ପ୍ରଦର୍ଶନ କରିଛନ୍ତି । ଚେନ୍ନାଇ ଟେଷ୍ଟରେ ୧୬ ରନ ଓ ୧୯ ରନର ଇନିଂସ ଖେଳିଥିବା କେଏଲ ରାହୁଲ କାନୁପର ଟେଷ୍ଟରେ ଦମଦାର ବ୍ୟାଟିଂ କରି ସଭିଙ୍କ ହୃଦୟ ଜିତିଛନ୍ତି । ସେ ଆବଶ୍ୟକ ଅନୁସାରେ ୪୩ ବଲରୁ ୬୮ ରନର ଦ୍ରୁତ ଇନିଂସ ଖେଳିଛନ୍ତି । ସେ ଭାରତୀୟ ଦଳକୁ ଅଗ୍ରଣୀ ହାସଲ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
ତେବେ ତାଙ୍କ ପାଇଁ ବିପଦ ସାଜିଛନ୍ତି ସରଫରାଜ ଖାନ । କାରଣ ସରଫରାଜ ଖାନ ଘରୋଇ କ୍ରିକେଟରେ ମାରାଥନ ଇନିଂସ ଖେଳି ଚାଲିଛନ୍ତି । ଭାରତୀୟ ଦଳକୁ ମଧ୍ୟ ଏମିତି ବ୍ୟାଟରଙ୍କ ଆବଶ୍ୟକତା ରହିଛି ଯିଏ ଲମ୍ବା ଇନିଂସ ଖେଳି ପାରୁଥିବେ ।
ସରଫରାଜ ଖାନ ପ୍ରଥମ ଶ୍ରେଣୀ କ୍ରିକେଟ୍ କ୍ୟାରିୟରରେ ଏ ପର୍ଯ୍ୟନ୍ତ ୫୦ ମ୍ୟାଚ୍ ଖେଳି ୬୬.୩୯ ହାରରେ ରନ କରିର ଚାଲିଛନ୍ତି । ସରଫରାଜଙ୍କ ନାମରେ ୧୪ ଶତକ ରହିଛି । ଏବେ ଇରାନୀ କପରେ ଦ୍ୱିଶତକ ହାସଲ କରି ପୁଣି ଥରେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ।