ନୂଆଦିଲ୍ଲୀ: ଆଇପିଏଲରେ ରୋହିତ ଶର୍ମାଙ୍କ ବ୍ୟାଟ ନିରବ ରହିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଥର ଚାମ୍ପିଅନ କରାଇଥିବା ହିଟମ୍ୟାନ ଏବେ ଚୂଡାନ୍ତ ଏକାଦଶରେ ନିୟମିତ ଖେଳାଳି ଭାବେ ସ୍ଥାନ ପାଇ ପାରୁ ନାହାନ୍ତି ବରଂ ଇମ୍ପାକ୍ଟ ଖେଳାଳି ଭାବେ ତାଙ୍କୁ ଖେଳିବାକୁ ପଡୁଛି । ଏହା ପରେ ବି ସେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଦେଖାଇ ଦେଲେ ଯେ, ଚାମ୍ପିଅନ ଖେଳାଳି ଚାମ୍ପିଅନ ହିଁ ହୋଇଥାଏ । ସେ ପ୍ରମାଣିତ କରି ଦେଇଛନ୍ତି ଯେ, କାହିଁକି ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ତାଙ୍କ ଅଭିଜ୍ଞତାର ଆବଶ୍ୟକତା ରହିଛି ।
ଡଗଆଉଟରେ ବସି ବସି ସେ ସଠିକ୍ ସମୟରେ ସଠିକ ନିର୍ଦ୍ଦେଶ ପଠାଇ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ରଥକୁ ଅଟକାଇ ଦେଇଛନ୍ତି । ରୋହିତ କର୍ଣ୍ଣ ଶର୍ମାଙ୍କୁ ବଲ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହି ମାଷ୍ଟରଷ୍ଟ୍ରୋକ ପୂରା ମ୍ୟାଚର ଗତିକୁ ବଦଳାଇ ଦେଲା ।
ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱାରା ଧାର୍ଯ୍ୟ ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିଲା । ତିନି ବର୍ଷ ପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା କରୁଣ ନାୟର ବିଧ୍ୱଂସକ ମୁଡରେ ଥିଲେ । ସେ ୨୨ ବଲରେ ନିଜର ଅର୍ଦ୍ଧଶତକ ପୂରା କରିଥିଲେ । ଏକଦା ୧୨ ଓଭରରେ ୨ ୱିକେଟ୍ ହରାଇ ଦିଲ୍ଲୀର ସ୍କୋର ୧୩୫ ଥିଲା । ଆଉ ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଦିଲ୍ଲୀର ହାତମୁଠାରେ ଥିଲା ।
ଦିଲ୍ଲୀ ଇନିଂସର ୧୪ତମ ଓଭର ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମା ଡଗଆଉଟରେ ବସି ବୋଲର କର୍ଣ୍ଣ ଶର୍ମାଙ୍କୁ ବଲ୍ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଇପିଏଲରେ ନୂଆ ନିୟମ ଅନୁଯାୟୀ, ରାତ୍ରି ମ୍ୟାଚରେ ବୋଲିଂ କରୁଥିବା ଦଳ ୧୦ ଓଭର ପରେ ବଲ୍ ବଦଳାଇ ପାରିବେ, ଯଦ୍ୱାରା କାକରର ପ୍ରଭାବ କମ ରହିବ । ରୋହିତ ଶର୍ମାଙ୍କ ଏହି ସନ୍ଦେଶ ପରେ ମୁମ୍ବାଇ ଦ୍ୱିତୀୟ ବଲ୍ ନେଇଥିଲା ।
୧୪ତମ ଓଭରର ତୃତୀୟ ବଲରେ କର୍ଣ୍ଣ ଶର୍ମା ବିପଦଜ୍ଜନକ ସାଜିଥିବା କେଏଲ ରାହୁଲଙ୍କୁ ପାଭିଲିୟନର ରାସ୍ତା ଦେଖାଇ ଥିଲେ । ଦିଲ୍ଲୀ ଓଭର ପିଛା ୧୧ ରନରୁ ଅଧିକ ଗତିରେ ରନ ସଂଗ୍ରହ କରୁଥିଲା । ହେଲେ ପରବର୍ତ୍ତୀ ୨୪ ବଲରେ ଦଳ ମାତ୍ର ୨୨ ରନ ସଂଗ୍ରହ କରି ପାରିଥିଲା । ୧୯ତମ ଓଭରରେ ଲଗାତାର ୩ ବଲରେ ଦିଲ୍ଲୀର ୩ ବ୍ୟାଟର ରନ ଆଉଟ୍ ହୋଇଥିଲେ । ଏହିପରି ମୁମ୍ବାଇ ଦିଲ୍ଲୀ ହାତ ମୁଠାରୁ ମ୍ୟାଚ୍ ଛଡାଇ ଆଣିବାରେ ସଫଳ ହୋଇଥିଲା । ଏହି ସିଜିନରେ ମୁମ୍ବାଇର ଏହା ଦ୍ୱିତୀୟ ବିଜୟ ଥିବା ବେଳେ ଦିଲ୍ଲୀର ଏହା ପ୍ରଥମ ପରାଜୟ ଥିଲା ।