ବିଶାଖାପଟନମ: ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ବିଶାଖାପାଟଣାରେ ଖେଳାଯାଇଥିବା ମ୍ୟାଚରେ ରୋହିତ ଶର୍ମା ୨୭ ରନ କରି ଅନ୍ତର୍ଜାତୀୟ କ୍ରିକେଟରେ ୨୦ ହଜାର ରନ ପୂରଣ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଚତୁର୍ଥ ଭାରତୀୟ ବ୍ୟାଟର ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ ଏହି ସଫଳତା ହାସଲ କରିଛନ୍ତି।
ରୋହିତ ଶର୍ମା ତାଙ୍କର ୫୦୫ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫ତମ ଦିନିକିଆରେ ଇତିହାସ ସୃଷ୍ଟି କରିଛନ୍ତି। ରୋହିତ ଏବେ ଟେଷ୍ଟ, ଦିନିକିଆ ଏବଂ ଟି୨୦ ଅନ୍ତର୍ଜାତୀୟରେ ମିଳିତ ଭାବରେ ୨୦,୦୦୦ରୁ ଅଧିକ ରନ କରିଛନ୍ତି। ରୋହିତ ସଂପ୍ରତି ଦମଦାର ଫର୍ମରେ ଅଛନ୍ତି ଏବଂ ୭୫ ରନର ଇନିଂସ ଖେଳିଛନ୍ତି। ଏହି ସିରିଜର ପ୍ରଥମ ମ୍ୟାଚରେ ରୋହିତ ଏକ ଚମତ୍କାର ଅର୍ଦ୍ଧଶତକ ହାସଲ କରିଛନ୍ତି। ରୋହିତ ଶର୍ମା ୨୦,୦୦୦ ରନ ହାସଲ କରିବାରେ ବିଶ୍ୱର ୧୪ତମ କ୍ରିକେଟର ହୋଇଛନ୍ତି।
ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୨୦,୦୦୦ ରନ ପୂରଣ କରିବାରେ ୧୪ତମ କ୍ରିକେଟର। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, କୁମାର ସାଙ୍ଗାକାରା, ବିରାଟ କୋହଲି, ରିକି ପଣ୍ଟିଂ, ମାହେଲା ଜୟବର୍ଦ୍ଧନେ, ଜ୍ୟାକ୍ କାଲିସ୍, ରାହୁଲ ଦ୍ରାବିଡ, ବ୍ରାଏନ୍ ଲାରା, ଜୋ ରୁଟ୍, ସନଥ ଜୟସୁରିଆ, ଶିବନାରାୟଣ ଚନ୍ଦ୍ରପଲ, ଇଞ୍ଜମାମ୍-ଉଲ୍-ହକ୍ ଏବଂ ଏବି ଡିଭିଲିୟର୍ସ ଏହି ସଫଳତା କରିଛନ୍ତି।
ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ କରିଥିବା ଭାରତୀୟ
୩୪,୩୫୭ ରନ - ସଚିନ ତେନ୍ଦୁଲକର
୨୭,୯୧୦ ରନ - ବିରାଟ କୋହଲି
୨୪,୨୦୮ ରନ - ରାହୁଲ ଦ୍ରାବିଡ
୨୦,୦୦୦* ରନ - ରୋହିତ ଶର୍ମା
ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟରେ ହରାଇଛି ଭାରତ। ଏହା ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ଦ୍ଵାରା ଧାର୍ଯ୍ୟ ୨୭୧ ରନର ବିଜୟ ଲକ୍ଷ୍ୟକୁ ଭାରତ ୬୧ ବଲ୍ ବାକି ଥାଇ ୯ ଓ୍ଵିକେଟରେ ଜିତି ନେଇଛି। ଯଶସ୍ଵୀ ଜୟସ୍ଵାଲ ୧୧୫ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ଶର୍ମା ୭୫ ରନ କରିଥିବା ବେଳେ ବିରାଟ କୋହଲି ୬୫ ରନର ଧୂଆଁଧାର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ କ୍ଵିଣ୍ଟନ ଡିକକଙ୍କ ୧୦୬ ରନ ଓ ଅଧିନାୟକ ତେମ୍ବା ବାଭୁମାଙ୍କ ୪୮ ରନ ବଳରେ ୨୭୦ ରନ କରିଥିଲା।
Also read: ଜୟସ୍ଵାଲଙ୍କ ଶତକ ସହ ରୋ-କୋଙ୍କ କମାଲ୍, ଦକ୍ଷିଣ ଆଫ୍ରିକାକୁ ହରାଇ ୨-୧ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ