ବିଶାଖାପଟନମ: ବିଶାଖାପଟନମରେ ଗର୍ଜିଲା ଜୟସ୍ଵାଲଙ୍କ ସହ ରୋ-କୋଙ୍କ ବ୍ୟାଟ୍। ନିର୍ଣ୍ଣାୟକ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୯ ଓ୍ଵିକେଟରେ ହରାଇଛି ଭାରତ। ଏହା ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ଦ୍ଵାରା ଧାର୍ଯ୍ୟ ୨୭୧ ରନର ବିଜୟ ଲକ୍ଷ୍ୟକୁ ଭାରତ ୬୧ ବଲ୍ ବାକି ଥାଇ ୯ ଓ୍ଵିକେଟରେ ଜିତି ନେଇଛି। ଯଶସ୍ଵୀ ଜୟସ୍ଵାଲ ୧୧୫ ରନର ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି। ରୋହିତ ଶର୍ମା ୭୫ ରନ କରିଥିବା ବେଳେ ବିରାଟ କୋହଲି ୬୫ ରନର ଧୂଆଁଧାର ଅପରାଜିତ ଇନିଂସ ଖେଳିଛନ୍ତି। ଏହା ପୂର୍ବରୁ କ୍ଵିଣ୍ଟନ ଡିକକଙ୍କ ୧୦୬ ରନ ଓ ଅଧିନାୟକ ତେମ୍ବା ବାଭୁମାଙ୍କ ୪୮ ରନ ବଳରେ ୨୭୦ ରନ କରିଥିଲା।
୨୭୧ ରନର ଟାର୍ଗେଟ ପିଛା କରି ଟିମ୍ ଇଣ୍ଡିଆକୁ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ଦମଦାର ଆରମ୍ଭ ଦେଇଥିଲେ। ସିରିଜର ପୂର୍ବ ଦୁଇଟି ମ୍ୟାଚରେ ମାତ୍ର ୪୦ ରନ କରି କରିଥିବା ଜୟସ୍ଵାଲ ଆଜି ଦମଦାର ବ୍ୟାଟିଂ କରିଛନ୍ତି। ରୋହିତ ଶର୍ମାଙ୍କ ସହ ମିଶି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଦୁଇ ବ୍ୟାଟର ୧୫୫ ରନର ଓପନିଂ ପାର୍ଟନରସିପ୍ କରି ଦଳ ବିଜୟ ନିଶ୍ଚିତ କରିଥିଲେ। ରୋହିତ ଶର୍ମା ୭୩ ବଲରୁ ୭ ଚୌକା ଓ ୩ ଛକା ସହ ୭୫ ରନ କରିଥିଲେ।
ଏହା ପରେ ଜୟସ୍ଵାଲ ଓ ବିରାଟ କୋହଲି ଦ୍ରୁତ ବ୍ୟାଟିଂ କରି ମ୍ୟାଚକୁ ଏକତରଫା କରି ଦେଇଥିଲେ। ଦୁହେଁ ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧୬ ରନ ଯୋଡ଼ି ଦଳକୁ ୯ ଓ୍ଵିକେଟରେ ଜିତାଇଛନ୍ତି। ଜୟସ୍ଵାଲ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ସେ ୧୧୨୧ ବଲରୁ ୧୨ ଚୌକା ଓ ୨ ଛକା ସହ ୧୧୬ ରନର ଅପରାଜିତ ଶତକୀୟ ଇନିଂସ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଜୟସ୍ୱାଲ ତିନୋଟି ଫର୍ମାଟରେ ଶତକ ମାରିଥିବା ଷଷ୍ଠ ଭାରତୀୟ ବ୍ୟାଟର ହୋଇଛନ୍ତି।
ରୋକୋ ବିପର୍ଯ୍ୟୟ ସୃଷ୍ଟି କରିଥିଲା
ରୋହିତ ଶର୍ମା ରାଞ୍ଚିରେ ୫୭ ରନ କରିଥିଲେ। ଏହାପରେ ସେ ଦ୍ୱିତୀୟ ଦିନିକିଆରେ ପ୍ରାରମ୍ଭରେ ଆଉଟ ହୋଇଥିଲେ, କିନ୍ତୁ ତୃତୀୟ ଦିନିକିଆରେ ସେ ୭ ଚୌକା ଏବଂ ତିନୋଟି ଛକା ସହିତ ୭୫ ରନର ଇନିଂସ ଖେଳିଥିଲେ। ଅନ୍ୟପକ୍ଷରେ ବିରାଟ କୋହଲି ପଡ଼ିଆକୁ ଆସିବା ମାତ୍ରେ ଦ୍ରୁତ ଗତିରେ ରନ ସ୍କୋର କରିବା ଆରମ୍ଭ କରିଥିଲେ। ବିରାଟ ୪୫ ବଲରେ ୬୫ ରନ କରି ଅପରାଜିତ ରହିଥିଲେ। ଏହି ଧୂଆଁଧାର ଇନିଂସରେ ସେ ଛଅ ଚୌକା ଏବଂ ତିନୋଟି ଛକା ମାରିଥିଲେ।
Also read: ଶୁଭମନଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଲା ବଡ଼ ଖବର