ଚଣ୍ଡିଗଡ: ଆଇପିଏଲ୍ ୨୦୨୫ର ୩୧ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଚଣ୍ଡିଗଡର ମୁଲ୍ଲାନପୁର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହା ପଞ୍ଜାବ କ୍ରିକେଟ୍ ଦଳର ହୋମ ଗ୍ରାଉଣ୍ଡ । ଏ ପର୍ଯ୍ୟନ୍ତ ଆଇପିଏଲରେ ଦୁଇ ଦଳର ପ୍ରଦର୍ଶନ ମିଶ୍ରିତ ରହିଛି । ଆଜିର ମ୍ୟାଚ୍ ବେଶ ରୋମାଞ୍ଚକର ହେବାର ଆଶା କରାଯାଉଛି ।
କୋଲକାତା ଚଳିତ ସିଜିନରେ ୬ଟି ମ୍ୟାଚରୁ ୩ଟି ଜିତିଥିବା ବେଳେ ୩ଟି ହାରିଛି । ଯଦି ଦଳ ଆଜିର ମ୍ୟାଚ୍ ଜିତେ ତେବେ ଟପ୍ ୪ରେ ପ୍ରବେଶ କରିବ । ଏବେ ଦଳ ପଞ୍ଚମ ସ୍ଥାନରେ ରହିଛି । ପଞ୍ଜାବ କିଙ୍ଗସ ୫ଟି ମ୍ୟାଚରୁ ୩ଟି ଜିତିଥିବା ବେଳେ ନେଟ୍ ରନ ରେଟ୍ ଆଧାରରେ କୋଲକାତାଠୁ ପଛରେ ଷଷ୍ଠ ସ୍ଥାନରେ ରହିଛି । ଯଦି ପଞ୍ଜାବ ଆଜିର ମୁକାବିଲା ଜିତେ ତେବେ ଦଳ ଟପ୍-୪ରେ ସାମିଲ ହୋଇପାରେ ।
ଏହି ଷ୍ଟାଡିୟମ ଚଳିତ ସିଜିନରେ ବ୍ୟାଟରଙ୍କ ପାଇଁ ସ୍ୱର୍ଗ ପାଲଟିଛି । ଏଠାରେ ଖେଳା ଯାଇଥିବା ଦୁଇଟି ମ୍ୟାଚର ୪ ଇନିଂସରେ ୨୦୦ରୁ ଅଧିକ ସ୍କୋର ହୋଇଛି । ଇନିଂସ ଆରମ୍ଭରୁ ଦ୍ରୁତ ବୋଲରଙ୍କୁ କିଛିଟା ଗତି ମିଳିଥାଏ । ଖେଳ ଆଗକୁ ଆଗକୁ ବଢିବା ସହିତ ପିଚ୍ ବ୍ୟାଟରଙ୍କୁ ବେଶ ସୁହାଇଥାଏ । ଆଜିର ମ୍ୟାଚ୍ ବି ହାଇସ୍କୋରିଂ ଦେଖିବାକୁ ମିଳିପାରେ । ଏଠାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି ଅଧିନାୟକ ।
ପଞ୍ଜାବ କିଙ୍ଗସ ଓ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲରେ ୩୩ ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ କେକେଆର ୨୧ଟି ମ୍ୟାଚ୍ ଜିତି ନିଜର ଦବଦବା କାଏମ ରଖିଛି । ଅନ୍ୟପଟେ ପଞ୍ଜାବ କୋଲକାତା ବିପକ୍ଷରେ ମାତ୍ର ୧୨ଟି ମ୍ୟାଚ୍ ଜିତି ପାରିଛି ।
ମୁୁଲ୍ଲାନପୁରରେ ଖେଳାଯାଇଥିବା ମ୍ୟାଚର ରେକର୍ଡ
ମୋଟ୍ ମ୍ୟାଚ୍ – ୭
ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି- ୪
ପ୍ରଥମେ ବୋଲିଂ କରିଥିବା ଦଳ ଜିତିଛି- ୩
ଟସ୍ ଜିତିଥିବା ଦଳ ଜିତିଛି- ୩
ଟସ୍ ହାରିଥିବା ଦଳ ଜିତିଛି- ୪