ଭୁବନେଶ୍ୱର, ଏପ୍ରିଲ ୨୬(ଖବର ଓଡିଶା)
ସୁପର କପ୍ ପଦାର୍ପଣରେ ଐତିହାସିକ ବିଜେତା ହେବାର ଗୌରବ ଅର୍ଜନ କରିଛି ଓଡ଼ିଶା ଏଫ୍ସି। କେରଳର କୋଝିକୋଡ଼ସ୍ଥିତ ଇଏମ୍ଏସ୍ କର୍ପୋରେସନ ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ତେବେ ଫାଇନାଲ୍ରେ ଓଡିଶା ଏଫ୍ସି ଦଳ ୨-୧ ଗୋଲ୍ରେ ଦେଶର ଶୀର୍ଷସ୍ତରୀୟ ଦଳ ବେଙ୍ଗାଲୁରୁ ଏଫ୍ସିକୁ ମାତ୍ ଦେଇ ନିଜର ପ୍ରଥମ ଐତିହାସିକ ବିଜୟ ହାସଲ କରିଛି। ଚଳିତ ଘରୋଇ ଋତୁରେ ବେଙ୍ଗାଲୁରୁର ଏହା ତୃତୀୟ ଫାଇନାଲ୍ ହୋଇଥିବା ବେଳେ ଓଡ଼ିଶାର ଏହା ପ୍ରଥମ ଫାଇନାଲ୍ ଥିଲା, ତେଣୁ ବେଙ୍ଗାଲୁରୁ ସୁପର କପ୍ର ପ୍ରମୁଖ ଦାବିଦାର ଥିଲା। ହେଲେ ଓଡ଼ିଶା ଏଫ୍ସିର ମହାରଥୀମାନେ ଏହି ଦଳର ସବୁ ଆଶାକୁ ଧୂଳିସାତ୍ କରିଦେଇଥିଲେ ।
ମ୍ୟାଚ୍ର ୨୩ତମ ମିନିଟ୍ରେ ଦଳକୁ ମିଳିଥିବା ଫ୍ରି କିକ୍କୁ ଆଇଏସ୍ଏଲ୍ ଗୋଲ୍ଡେନ୍ ବୁଟ୍ ବିଜେତା "ଡିଏଗୋ ମୌରିସିଓ" ଗୋଲ୍ରେ ପରିଣତ କରି ଜଗରନଟ୍ସ ନାମରେ ପରିଚିତ ଓଡିଶାକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାର ୧୫ ମିନିଟ୍ ପରେ ଜେରି ମାୱିମିଙ୍ଗଥାଙ୍ଗାଙ୍କ ସୁନ୍ଦର ପାସ୍କୁ ମୌରସିଓ ବେଙ୍ଗାଲୁରୁ ଗୋଲ୍ ପୋଷ୍ଟ୍କୁ ପଠାଇ ଯୁଗଳ ସଫଳତା ପାଇଥିଲେ। ଏହି ଗୋଲ୍ ବଳରେ ଓଡ଼ିଶା ଏଫ୍ସି ପ୍ରଥମାର୍ଦ୍ଧକୁ ୨-୦ରେ ନିଜ ପକ୍ଷରେ ରଖିଥିଲା। ତେବେ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ବେଙ୍ଗାଲୁରୁ ଗୋଲ୍ ଶୁଝିବାକୁ ବହୁ ଚେଷ୍ଟା କରିଥିଲା। କିନ୍ତୁ ଓଡ଼ିଶା ଗୋଲକିପର ଅମରେନ୍ଦର ସିଂହ ସବୁ ନିଷ୍ଫଳ କରିଦେଇଥିଲେ। ତେବେ ୮୫ତମ ମିନିଟ୍ରେ ବେଙ୍ଗାଲୁରୁକୁ ମିଳିଥିବା ପେନାଲ୍ଟିକୁ ସୁନିଲ ଛେତ୍ରୀ ଗୋଲ୍ ଦେଇ ସ୍ଥିତି ୧-୨ କରିଥିଲେ। ଏହା ପରେ ଗୋଲ୍ ନ ହେବାରୁ ଓଡ଼ିଶା ୨-୧ ବ୍ୟବଧାନରେ ବିଜୟୀ ହୋଇଥିଲା। ଓଡ଼ିଶାର ଏହି ଐତିହାସିକ ବିଜୟ ସହିତ କ୍ଲିଫାର୍ଡ ମିରାଣ୍ଡା ପ୍ରଥମ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଭାବେ ସୁପର କପ୍ ଜିତିବାର ଗୌରବ ପାଇଥିଲେ। ଦୁଇଟି ଗୋଲ୍ ଦେଇଥିବା ମୌରିସିଓ ଫାଇନାଲ୍ ଓ ପୁରା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।