ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ ପୂର୍ବରୁ ବିଶ୍ବ ବିଜେତା ଭାରତୀୟ ଜାଭ୍ଲିନ୍ ତାରକା ନୀରଜ ଚୋପ୍ରା ନିଜର ଆତ୍ମବିଶ୍ବାସ ବଢ଼ାଇଛନ୍ତି। ସେ ଚମତ୍କାର ଢ଼ଙ୍ଗରେ ପ୍ରଦର୍ଶନ କରି ଫିନଲ୍ୟାଣ୍ଡ୍ର ଟୁର୍କୁରେ ମଙ୍ଗଳବାର ଖେଳାଯାଇଥିବା ପାଭୋ ନୁର୍ମି କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ପୂର୍ବରୁ ସେ ଏହି ଭଳି ସଫଳତା ହାସଲ କରିଥିବାରୁ ପରବର୍ତ୍ତୀ ପ୍ରତିଯୋଗିତା ପାଇଁ ତାଙ୍କର ଆତ୍ମବିଶ୍ବାସକୁ ଆହୁରି ମଜବୁତ କରିବ।
ନୀରଜ ଚୋପ୍ରା (୨୬ ବର୍ଷ) ଏକ ମାତ୍ର ଭାରତୀୟ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେ ତୃତୀୟ ପ୍ରୟାସରେ ଜାଭଲିନ୍କୁ ୮୫.୯୭ ମିଟର୍ ଫିଙ୍ଗିଥିଲେ। ଏହା ତାଙ୍କୁ ଶୀର୍ଷରେ ରଖିଥିଲା। ଫିନ୍ଲାଣ୍ଡ୍ର ଟୋନି କିରାନେନ୍ (୮୪.୧୯ ମିଟର୍) ରୌପ୍ୟ ପଦକ ଜିତିଥିବାବେଳେ ତାଙ୍କ ଦେଶର ପ୍ରତିଦ୍ବନ୍ଦ୍ବୀ ତଥା ଗତ ବର୍ଷର ବିଜେତା ଓଲିଭର୍ ହେଲାଣ୍ଡର୍ (୮୩.୯୬ ମିନିଟ୍) ତୃତୀୟ ସ୍ଥାନରେ ରହିଛି।
ସୂଚନାଯୋଗ୍ୟ, ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୩.୬୨ ମିଟର, ଦ୍ବିତୀୟ ପ୍ରୟାସରେ ୮୩.୪୫ମିଟର, ଚତୁର୍ଥ ପ୍ରୟାସରେ ୮୨.୨୧ ମିଟର, ପଞ୍ଚମ ପ୍ରୟାସରେ ଫାଉଲ ଓ ଷଷ୍ଠ ପ୍ରୟାସରେ ୮୨.୯୭ ମିଟର ଜାଭଲିନ୍ ଫିଙ୍ଗିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସ ଆସନ୍ତା ଜୁଲାଇ ୨୬ ତାରିଖ ଠାରୁ ଆରମ୍ଭ ହେବ। ଏହି ଅନ୍ତର୍ଜାତୀୟ କ୍ରୀଡ଼ା ମହାକୁମ୍ଭ ଅଗଷ୍ଟ ୧୧ ଯାଏଁ ଜାରି ରହିବ।