ବିଶ୍ୱକପ ଫାଇନାଲ୍ରେ ଅୟୋଜକ ଭାରତ ୬ ୱିକେଟ୍ରେ ଅଷ୍ଟ୍ରେଲିଆଠୁ ହାରିଯାଇ ରନର୍ସରେ ସନ୍ତୁଷ୍ଟ ରହିଛି । ଦୀର୍ଘ ଦେଢ଼ମାସ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଫାଇନାଲ୍କୁ ଆସିଥିଲା କିନ୍ତୁ ଶେଷରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ପ୍ରଦର୍ଶନ ଆଗରେ ହାର୍ ମାନିଯାଇଥିଲା। ଭାରତୀୟ ଦଳର ତୃତୀୟ ବିଶ୍ୱକପ ସ୍ବପ୍ନ ଚୂରମାର ହୋଇଥିଲା।ଏହାପରେ ଭାରତୀୟ ଡ୍ରେସିଂ ରୁମ୍ରେ ଅବସାଦର ପରିବେଶ ଦେଖିବାକୁ ମିଳିଥିଲା। ଖେଳାଳିମାନେ ନିରାଶ ହୋଇ ବସିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି ଖେଳାଳିମାନଙ୍କୁ ସାନ୍ତ୍ବନା ଦେବା ସହ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ । ତୁମେମାନେ ହେଉଛ ଦେଶର ଗର୍ବ ।
ସ୍ପିନ୍ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ସହ ମୋଦୀ କିଛି ସମୟ ବାର୍ତ୍ତାଳାପ କରିବା ପରେ ସାମିଙ୍କୁ କୁଣ୍ଢାଇ ସାନ୍ତ୍ବନା ଦେଇଥିଲେ ପରେ ଅନ୍ୟ ଖେଳାଳିମାନଙ୍କୁ ଭେଟି ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଫାଇନାଲ୍ ପରେ ପ୍ରତି ମ୍ୟାଚ୍ ଭଳି ଭାରତୀୟ ଡ୍ରେସିଂ ରୁମ୍ରେ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ବା ବେଷ୍ଟ ଫିଲଡର ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରତିଥର ଫିଲ୍ଡିଂ ପ୍ରଶିକ୍ଷକ ଟି ଦିଲୀପ ବିଭିନ୍ନ ଢଙ୍ଗରେ ନାଁ ଡାକିବା ସହ ପୁରସ୍କାର ପ୍ରଦାନ କରୁଥିଲେ। କିନ୍ତୁ ଫାଇନାଲ୍ ମ୍ୟାଚ୍ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାରରେ ସେଭଳି ଦେଖିବାକୁ ମିଳି ନଥିଲା। କାହିଁକି ନା ସମସ୍ତଙ୍କ ମୁହଁରେ ସେ ଖୁସି ଆଉ ନଥିଲା ଅବସାଦ ପରିବେଶରେ ଶେଷରେ ଏହି ପୁରସ୍କାର ବିରାଟ କୋହଲିଙ୍କୁ ପ୍ରଦାନ କରିଥିଲେ ଦିଲୀପ । ଏହାପରେ ରବୀନ୍ଦ୍ର ଜାଡ଼େଜା ବିରାଟ କୋହଲିଙ୍କୁ ସ୍ୱର୍ଣ୍ଣ ପଦକ ପିନ୍ଧାଇଥିଲେ ।