ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଆଶା କରାଯାଉଥିଲା ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଏହି ସିରିଜ ଜରିଆରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । କାରଣ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ସହାୟକ କୋଚ୍ ଅଭିଷେକ ନାୟରଙ୍କ ତତ୍ଵାବଧାନରେ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସଂପୂର୍ଣ୍ଣ ଫିଟ୍ ହୋଇ ନ ଥିବାରୁ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳରେ ତାଙ୍କୁ ସାମିଲ କରାଯାଇ ନାହିଁ । ତେବେ ଆସିଥିବା ସଦ୍ୟତମ ରିପୋର୍ଟ ଅନୁଯାୟୀ, ଶାମି ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ରେ ଦଳ ସହ ଯୋଗ ଦେଇ ପାରନ୍ତି ।
କ୍ରିକେଟ୍ ଆଡିକ୍ଟରର ଖବର ଅନୁଯାୟୀ, ରଣଜୀ ଟ୍ରଫି ୨୦୨୪ରେ ଶାମି ଦୁଇଟି ମ୍ୟାଚ୍ ଖେଳି ପାରନ୍ତି। ଏହା ପରେ ସେ ସିଧାସଳଖ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରି ପାରନ୍ତି। ପଶ୍ଚିମବଙ୍ଗ ପକ୍ଷରୁ ଶାମି କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ ବିପକ୍ଷରେ ରଣଜୀ ମ୍ୟାଚ୍ ଖେଳି ପାରନ୍ତି। ଏହି ମ୍ୟାଚ୍ କ୍ରମଶଃ ନଭେମ୍ବର ୬ ଓ ନଭେମ୍ବର ୧୩ ତାରିଖ ଖେଳାଯିବ। ଯଦି ଏହି ଦୁଇଟି ମ୍ୟାଚ୍ରେ ଶାମି ସଂପୂର୍ଣ୍ଣ ଫିଟ୍ ରୁହନ୍ତି ଏବଂ ନିଜକୁ ଶତ ପ୍ରତିଶତ ଫିଟ୍ ଅନୁଭବ କରନ୍ତି ତେବେ ସେ ସିଧାସଳଖ ଅଷ୍ଟ୍ରେଲିଆ ଯାତ୍ରା କରି ପାରନ୍ତି।
ଏହା ପୂର୍ବରୁ ମହମ୍ମଦ ଶାମି ପ୍ରଶଂସକ ସହ ବିସିସିଆଇକୁ କ୍ଷମା ମାଗିଥିଲେ। କାରଣ ସେ ଏକ ବର୍ଷ ହେବ ଦଳ ପାଇଁ ଖେଳି ପାରି ନାହାନ୍ତି । ତାଙ୍କର ଆହତ ସମସ୍ୟାକୁ ଦୃଷ୍ଟିରେ ରଖି ବୋର୍ଡ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶାମିଙ୍କୁ ତରବରିଆ ଭାବେ ଦଳରେ ସାମିଲ କରିବାକୁ ଚାହୁଁନି । ଉଲ୍ଲେଖନୀୟ ଶାମି ସର୍ଜରୀ ପରେ ଏନସିଏରେ ନିଜର ପୁନଃଥଇଥାନ ପୂରା କରି ସାରିଛନ୍ତି। କିନ୍ତୁ ଗୋଇଠି ଫୁଲିବା କାରଣରୁ ତାଙ୍କର ଦଳକୁ ଫେରିବାରେ ବିଳମ୍ବ ଘଟିଛି। ତେବେ ଶାମି ଘୋଷଣା କରିଥିଲେ ଯେ, ତାଙ୍କୁ କୌଣସି ଯନ୍ତ୍ରଣା ଅନୁଭବ ହେଉ ନାହିଁ।
ଏବେ ସେ ରଣଜୀ ଟ୍ରଫି ଖେଳିବେ । ଏହି ସମୟରେ ତାଙ୍କର ଫିଟନେସ୍ ଉପରେ ବିସିସିଆଇ ଡାକ୍ତରୀ ଦଳ ପୂରା ନଜର ରଖିବେ । ଯଦି ଶାମି ନିଜର ଏହି ଫିଟନେସ୍ ପରୀକ୍ଷାରେ ପାସ୍ କରନ୍ତି ତେବେ ସେ ସିଧାସଳଖ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବେ । ଏବେ ସଭିଙ୍କ ନଜର ରଣଜୀ ଟ୍ରଫିରେ ଶାମିଙ୍କ ପ୍ରଦର୍ଶନ ଉପରେ ରହିଛି ।