ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରଠୁ ପଡିଆରୁ ବାହାରେ ଅଛନ୍ତି । ଆଶା କରାଯାଉଥିଲା ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ଶାମି ଅଷ୍ଟ୍ରେଲିଆ ଗସ୍ତରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଆସିଥିବା ସଦ୍ୟତମ ରିପୋର୍ଟ ଦଳ ପାଇଁ ନିରାଶଜନକ ରହିଛି । ମହମ୍ମଦ ଶାମି ଠିକ୍ ହେଉଥିବା ବେଳେ ପୁଣି ଥରେ ଆହତ ହୋଇଛନ୍ତି । ଏହି କାରଣରୁ ସେ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫିରୁ ବଞ୍ଚିତ ହୋଇ ପାରନ୍ତି ।
ଶାମି ଗୋଇଠିର ସର୍ଜରୀ କରିବା ପରେ ସୁସ୍ଥ ହୋଇଥିଲେ ଏବଂ ସାମାନ୍ୟ ଅଭ୍ୟାସ ମଧ୍ୟ ଆରମ୍ଭ କରିଥିଲେ । ସଂପ୍ରତି ସେ ବେଙ୍ଗାଲୁରୁ ସ୍ଥିତି ଜାତୀୟ କ୍ରିକେଟ୍ ଏକାଡେମୀରେ ଅଛନ୍ତି । ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଶାମିଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଏମିତିରେ ତାଙ୍କୁ ପୁରା ସୁସ୍ଥ ହେବା ପାଇଁ ୬ରୁ ୮ ସପ୍ତାହ ସମୟ ଲାଗିପାରେ । ବିସିସିଆଇର ଡାକ୍ତରୀ ଦଳ ତାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି । ସେ ଠିକ୍ ହେବା ବେଳକୁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଆରମ୍ଭ ହୋଇ ଯାଇଥିବ । କାରଣ ନଭେମ୍ବରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ ।
ବିସିସିଆଇର ଜଣେ ଜନୈକ ଅଧିକାରୀ କହିଛନ୍ତି, ଶାମି ପୁଣି ଥରେ ବୋଲିଂ କରିବା ଆରମ୍ଭ କରିଥିଲେ । ସେ ଖୁବ୍ ଶୀଘ୍ର ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ମାର୍ଗରେ ଥିଲେ । ମାତ୍ର ଆଣ୍ଠୁରେ ତାଙ୍କର ସମସ୍ୟା ଦେଖା ଦେଇଛି । ବର୍ତ୍ତମାନ ବିସିସିଆଇ ଡାକ୍ତରୀ ଦଳ ତାଙ୍କ ଆହତ ସମସ୍ୟାର ଆକଳନ କରୁଛନ୍ତି । ତାଙ୍କୁ ପୁରା ଫିଟ୍ ହେବା ପାଇଁ ଅଧିକ ସମୟର ଆବଶ୍ୟକତା ପଡିପାରେ । ଏହା ଏନସିଏର ମେଡିକାଲ୍ ଟିମ ପାଇଁ ଏକ ଝଟକା । ସେମାନେ ଏକ ବର୍ଷ ଧରି ଶାମିଙ୍କ ଆହତଜନିତ ସମସ୍ୟା ଉପରେ କାମ କରୁଛନ୍ତି ।