ପଞ୍ଜାବ କିଙ୍ଗ୍ସକୁ ୨୧ ରନ୍ରେ ହରାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଚଳିତ ଆଇପିଏଲ୍ରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ୨୦୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ କିଙ୍ଗ୍ସ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ଥିଲେ ମଧ୍ୟ ଶେଷ ୧୦ ଓଭରରେ ମ୍ୟାଚ୍ ହାତଛଡ଼ା କରିଛି । ଅଧିନାୟକ ଶିଖର ଧାୱନଙ୍କ ଅର୍ଦ୍ଧଶତକ ସତ୍ୱେ ମ୍ୟାଚରେ ପରାଜୟ ହୋଇଛି ପଞ୍ଜାବ କିଙ୍ଗ୍ସ । ଅନ୍ୟପକ୍ଷରେ ପଦାର୍ପଣ ମ୍ୟାଚରେ ୨୧ ବର୍ଷ ବୟସ୍କ ଫାଷ୍ଟବୋଲର ମୟଙ୍କ ଯାଦବ ୩ ୱିକେଟ୍ ନେଇ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂକୁ ଧ୍ୱସ୍ତ କରିଥିଲେ ଆଉ ଲକ୍ଷ୍ନୌର ପଏଣ୍ଟ ଖାତା ଖୋଲିବାରେ ପ୍ରମୁଖ ଭୂମିକା ତୁଲାଥିଲେ ।
ପଞ୍ଜାବ କିଙ୍ଗ୍ସ୍ ବିପକ୍ଷରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଲକ୍ଷ୍ନୌ ପକ୍ଷରୁ ଡି କକ୍(୫୪) ଓ ରାହୁଲ (୧୫) ପ୍ରଥମ ଉଇକେଟରେ ୩୫ ରନ୍ ଯୋଡିଥିଲେ। ଗୋଟିଏ ପଟରୁ ଡି କକ୍ ଇନିଂସ ସମ୍ଭାଳିଥିବା ବେଳେ ଅନ୍ୟ ପଟରୁ ଉଇକେଟ ପତନ ଘଟିଥିଲା । ମାର୍କସ୍ ଷ୍ଟୋଇନିସ୍ ୨ ଛକା ସହ ୧୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତେବେ ଗତକାଲି ମ୍ୟାଚରେ ଅଧିନାୟକ ରହିଥିବା ନିକୋଲାସ୍ ପୁରନ୍(୪୨) ଚମତ୍କାର ବ୍ୟାଟିଂ କରିବା ସହ ଚତୁର୍ଥ ଉଇକେଟରେ ଡି କକ୍ଙ୍କ ସହ ୪୭ ରନ୍ ଯୋଡିଥିଲେ । ଆଉଟ ହେବା ପୂର୍ବରୁ ଡି କକ୍ ୩୮ ବଲ୍ ଖେଳି ୫ ଚୌକା ଓ ୨ ଛକା ମାରିଥିଲେ । ନିକୋଲାସ୍ ପୁରନ ବିସ୍ଫୋରକ ବ୍ୟାଟିଂ କରିବା ସହ ୩ଟି ଲେଖାଏ ଛକା ଓ ଚୌକା ସହ ୨୧ ବଲ୍ ଖେଳି ୪୨ ରନ୍ କରିଥିଲେ । ଅଲରାଉଣ୍ଡର୍ କୃଣାଲ ପାଣ୍ଡ୍ୟା (୪୩*)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଲ୍ଏସ୍ଜି ୮ ୱିକେଟ୍ ବିନିମୟରେ ୧୯୯ ରନ୍ର ସମ୍ମାନଜନକ ସ୍କୋର କରି ଥିଲା । ପଞ୍ଜାବ କିଙ୍ଗ୍ସ ପକ୍ଷରୁ ସାମ୍ କରନ ୩,ଅର୍ଶଦୀପ ସିଂହ ୨, କାଗିସୋ ରାବାଡା ଓ ରାହୁଲ ଚହର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ ।
ତେବେ ଦ୍ୱିତୀୟ ଇନିଂସରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାୱନ (୭୦) ଓ ଜନି ବେୟାରଷ୍ଟୋ(୪୨) ପ୍ରଥମ ଉଇକେଟରେ ୧୦୨ ରନ୍ କରିଥିଲେ । ତେବେ ଉଭୟ ଖେଳାଳି ଆଉଟ ହେବା ପରେ ପଞ୍ଜାବ ଇନିଂସ ଲାଇନଚ୍ୟୁତ ହୋଇଥିଲା । ଧାୱନ ୫୦ ବଲ୍ ଖେଳି ୭ ଚୌକା ଓ ୩ ଛକା ସହ ୭୦ ରନ୍ କରିଥିଲେ । ଅନ୍ୟ ପକ୍ଷରେ ବେୟାରଷ୍ଟୋ ୩ଟି ଲେଖାଏ ଛକା ଓ ଚୌକା ମାରିଥିଲେ । ଇମ୍ପାକ୍ଟ ପ୍ଲେୟର ପ୍ରଭସିମରନ୍ ସିଂ ୭ ବଲ୍ରୁ ଦ୍ରୁତ ୧୯ ରନ୍ କରିଥିଲେ । ତେବେ ଜୀତେଶ ଶର୍ମା ୬ ଓ ସାମ୍ କରନ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ । ପଦାର୍ପଣକାରୀ ମୟଙ୍କ ଯାଦବ ୩ ଉଇକେଟ ଓ ମୋହସିନ୍ ଖାନ୍ ୨ ଉଇକେଟ ନେଇଥିଲେ । ୧୭ ତମ ଓଭର ରେ ମୋହସିନ୍ଙ୍କ ବଲ୍ରେ ଧାୱନ ଓ କୁରାନ ଆଉଟ ହେବ ପରେ ମ୍ୟାଚ୍ର ମୋଡ ସୁପର ଜାଏଣ୍ଟ୍ସ ଆଡକୁ ମୋଡି ଥିଲା ।
ଅଧିକ ପଢ଼ନ୍ତୁ : ରୁଙ୍କୁଣା ରଥଯାତ୍ରା ପାଇଁ ବୈଠକ