ଫୋର୍ଟ ଲଉଡରଡେଲ: ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସି ଚଳିତ ସପ୍ତାହରେ ପଡ଼ିଆରେ ବ୍ୟକ୍ତିଗତ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି ଏବଂ ଏମଏଲଏସର ନିୟମିତ ଋତୁ ଶେଷ ହେବା ପୂର୍ବରୁ ଇଣ୍ଟର ମିଆମିରେ ଯୋଗ ଦେଇପାରନ୍ତି। ମିଆମି ପ୍ରଶିକ୍ଷକ ଜେରାର୍ଡୋ 'ଟାଟା' ମାର୍ଟିନୋ ଏହି ସୂଚନା ଦେଇଛନ୍ତି। ଜୁଲାଇ ୧୪ରେ କୋପା ଆମେରିକା ଫାଇନାଲରେ କଲମ୍ବିଆ ବିପକ୍ଷରେ ଆର୍ଜେଣ୍ଟିନା ବିଜୟ ଲାଭ କରିବା ପରଠାରୁ ଡାହାଣ ଗୋଡ଼ରେ ଆଘାତ ଲାଗିଥିବାରୁ ୩୭ ବର୍ଷୀୟ ମେସି ବାଦ୍ ପଡ଼ିଛନ୍ତି।
ଏହି ମ୍ୟାଚ୍ର ଦ୍ୱିତୀୟାର୍ଧରେ ସେ ପଡ଼ିଯାଇଥିଲେ। ଶନିବାର ଇଣ୍ଟର ମିଆମି ଓ ଏଫ୍ ସି ସିନ୍ସିନାଟି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ମେସି ଖେଳିନଥିଲେ। ଏହା ସହ ସେପ୍ଟେମ୍ବରରେ ହେବାକୁ ଥିବା ଦୁଇଟି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାଙ୍କୁ ଆର୍ଜେଣ୍ଟିନାର ଜାତୀୟ ଦଳରୁ ମଧ୍ୟ ବାଦ୍ ଦିଆଯାଇଛି।
ସେ ଜୁଲାଇ ପହିଲାରୁ ଇଣ୍ଟର ମିଆମି ପକ୍ଷରୁ ଖେଳି ନାହାନ୍ତି କିନ୍ତୁ ପ୍ରଶିକ୍ଷକ ମାର୍ଟିନୋ କହିଛନ୍ତି ଯେ ସେ ଖୁବ୍ ଶୀଘ୍ର ଦଳର ସମ୍ପୂର୍ଣ୍ଣ ଅଭ୍ୟାସରେ ଯୋଗ ଦେଇପାରନ୍ତି। ମାର୍ଟିନୋ କହିଛନ୍ତି ଯେ ଯଦିଓ ମେସିଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ସମୟସୀମା ଦିଆଯାଇପାରିବ ନାହିଁ, କିନ୍ତୁ ଅକ୍ଟୋବର ଶେଷରେ ଏମଏଲଏସ ପ୍ଲେଅଫ୍ ଆରମ୍ଭ ହେବା ପୂର୍ବରୁ ଏହା ହୋଇପାରେ।