ମୁମ୍ବାଇ: ଭାରତୀୟ କ୍ରିକେଟ୍ ଜଗତରେ ଏବେ ଏକ ବଡ଼ ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଷ୍ଟାର୍ ଓପନର ଯଶସ୍ୱୀ ଜୈସୱାଲଙ୍କୁ ତୁରନ୍ତ 'ରାଜସ୍ଥାନ ରୟାଲ୍ସ' ଛାଡ଼ିଦେବାକୁ ପରାମର୍ଶ ମିଳିଛି। ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ବାତୀ ରାୟୁଡୁ ଏଭଳି ଏକ ସାଂଘାତିକ ବୟାନ ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳି ସାରିଥିବା ରାୟୁଡୁଙ୍କ କହିବା ଅନୁସାରେ, ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ପ୍ରଦର୍ଶନ ଓ କ୍ରେଜ୍ ଯୋଗୁଁ ସବୁଠୁ ଅଧିକ ପ୍ରଭାବିତ ଜୟସ୍ଵାଲ ହିଁ ହୋଇଛନ୍ତି।
ବୈଭବଙ୍କ ଲୋକପ୍ରିୟତା ଆଗରେ ଫିକା ପଡ଼ୁଛନ୍ତି ଜୟସ୍ଵାଲ !
ବର୍ତ୍ତମାନ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ନାଁ ଶୁଣିଲେ ପ୍ରଶଂସକଙ୍କ ମନକୁ ସବୁଠୁ ପ୍ରଥମେ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ଆସୁଛି। ଏଭଳି ସ୍ଥିତିରେ ଦଳର ଅନ୍ୟ ଖେଳାଳିମାନେ ଯେତେ ଭଲ ପ୍ରଦର୍ଶନ କଲେ ମଧ୍ୟ ବୈଭବଙ୍କ ଲୋକପ୍ରିୟତା ଆଗରେ ତାହା ଛପି ଯାଉଛି। ରାୟୁଡୁ ଏହି ଯୁକ୍ତି ଦେଇ କହିଛନ୍ତି ଯେ, ଜୟସ୍ଵାଲ ଚଳିତ ଆଇପିଏଲ୍ ୨୦୨୬ ରେ ଅତି ସୁନ୍ଦର ବ୍ୟାଟିଂ କରିଥିଲେ ସୁଦ୍ଧା ତାଙ୍କୁ ସେହି ପ୍ରଶଂସା କିମ୍ବା ଶ୍ରେୟ ମିଳୁନାହିଁ, ଯାହାର ସେ ପ୍ରକୃତରେ ହକଦାର।
ଜୟସ୍ଵାଲଙ୍କୁ ଟିମ୍ ବଦଳାଇବା ଦରକାର
ଇଏସପିଏନ୍ କ୍ରିକଇନଫୋ'ର ରିପୋର୍ଟ ଅନୁଯାୟୀ, ଅମ୍ବାତୀ ରାୟୁଡୁ କହିଛନ୍ତି,ଜୈସୱାଲଙ୍କୁ ନିଜର ଦଳ ବଦଳାଇବାର ଆବଶ୍ୟକତା ରହିଛି। ସେ ଏମିତି ଜଣେ ବ୍ୟାଟରଙ୍କ ସହ ଓପନିଂ କରିପାରିବେ ନାହିଁ, ଯାହାଙ୍କ ଯୋଗୁଁ ତାଙ୍କ ନିଜ ପ୍ରଦର୍ଶନ ସବୁବେଳେ ଅଣଦେଖା ହେବ। ଜୟସ୍ଵାଲ ନିଜେ ଜଣେ ଷ୍ଟାର୍ ଖେଳାଳି ଏବଂ ସେ ଯଦି ଅନ୍ୟ କୌଣସି ଦଳକୁ ଯାଆନ୍ତି, ତେବେ ନିଜ ଦମରେ ମ୍ୟାଚ୍ ଜିତାଇବାର କ୍ଷମତା ରଖନ୍ତି।
ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ପରାମର୍ଶ
ରାୟୁଡୁ ଏହା ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ବୈଭବ ଯେଉଁ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରୁଛନ୍ତି, ତାହା ଦଳର ଅନ୍ୟ ଖେଳାଳିଙ୍କ ଉପରେ ମାନସିକ ଚାପ ପକାଇବ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବୈଭବଙ୍କ ସହ ଓପନିଂ ପାର୍ଟନର ଭାବେ ଜଣେ ଅଭିଜ୍ଞ ବା ସିନିୟର ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ୍।