କାନପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜିଠୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳା ଯାଉଛି । ତେବେ ମ୍ୟାଚର ପ୍ରଥମ ଦିନର ଖେଳ ବର୍ଷା ଯୋଗୁଁ ବହୁ ସମୟ ବାଧାପ୍ରାପ୍ତ ହୋଇଛି । ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ହୋଇ ପାରିଛି । ପ୍ରଥମ ଆଉଟ ଫିଲ୍ଡ ଅଦା ଥିବା କାରଣରୁ ଟସରେ ବିଳମ୍ବ ଘଟିଥିଲା । ପୁଣି ମଧ୍ୟାହ୍ନ ଭୋଜନ ସମୟରେ ବର୍ଷା ହେବାରୁ ମ୍ୟାଚ୍ ବିଳମ୍ବ ଘଟିଥିଲା । ପୁଣି ବର୍ଷା ହେବାରୁ ପ୍ରଥମ ଦିନର ଖେଳ ସମୟ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭ୍ରମଣକାରୀ ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ କରିଛି । କ୍ରିଜରେ ନମିନୁଲ ହକ ୪୦ ରନ ଓ ମୁସଫିକର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି ।
ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନର ଖେଳରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବାଂଲାଦେଶର ଦୁଇ ଓପନର ଜାକିର ହସନ ଓ ଶାଦମାନ ଇସଲାମ ୨୬ ରନ ଯୋଡିଥିଲେ । ଜାକିର ହସନ ୨୪ ବଲ ଖେଳିଥିଲେ ହେଁ ଖାତା ଖୋଲି ପାରି ନ ଥିଲେ । ଆକାଶ ଦୀପ ତାଙ୍କୁ ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୨୪ ରନ କରି ଲୟ ନଜର ଆସୁଥିବା ଶାଦମାନ ଇସଲାମ ୨୪ ବ୍ୟକ୍ତିଗତ ୨୪ ରନ ସ୍କୋରରେ ଆକାଶ ଦୀପଙ୍କ ଦ୍ୱିତୀୟ ଶିକାର ହୋଇଥିଲେ ।
ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ମନିମୁଲ ହକ କ୍ରିଜରେ ଜମି ଦଳର ସ୍କୋରକୁ ଆଗକୁ ବଢାଇଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୫୧ ରନ ଯୋଡିଥିଲେ । ସାଣ୍ଟୋ(୩୧)କୁ ଅଶ୍ୱିନ ଏଲବିଡବ୍ଲ୍ୟୁ କରି ପାଭିଲିୟନର ରାସ୍ତା ଦେଖାଇଥିଲେ । ୧୦୭ ରନ ହୋଇଥିବା ବେଳେ ବର୍ଷା ହେବାରୁ ଖେଳ ବନ୍ଦ ରହିଥିଲା । କ୍ରିଜରେ ନମିନୁଲ ହକ ୪୦ ରନ ଓ ମୁସଫିକର ରହିମ ୬ ରନ କରି ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ଆକାଶ ଦୀପ ୨ଟି ଏବଂ ଅଶ୍ୱିନଙ୍କୁ ଗୋଟିଏ ସଫଳତା ମିଳିଛି । ଉଲ୍ଲେଖନୀୟ ଚେନ୍ନାଇ ଟେଷ୍ଟ ଜିତି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି ।