ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ଆରମ୍ଭ ହେବାର ଠିକ୍ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସକୁ ବଡ ଝଟକା ଲାଗିଛି । ଦଳର ତାରକା ଦ୍ରୁତ ବୋଲର ଉମରାନ ମଲିକ ଆହତଜନିତ ସମସ୍ୟା କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ କେକେଆର ଫ୍ରାଞ୍ଚାଇଜ ବାମହାତୀ ଦ୍ରୁତ ବୋଲର ଚେତନ ସକାରିୟାଙ୍କୁ ଦଳରେ ସାମିଲ କରିଛି । କେକେଆର ଖୋଦ୍ ଏହାର ସୂଚନା ଦେଇଛି ।
ଉମରାନ ମଲିକଙ୍କୁ କେକେଆର ୭୫ ଲକ୍ଷ ଟଙ୍କାରେ କିଣିଥିଲା । ଏହା ପୂର୍ବରୁ ଉମରାନ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ । ମାତ୍ର ହାଇଦ୍ରାବାଦ ତାଙ୍କୁ ରିଟେନ୍ କରିଥିଲା । ଏହା ପରେ ଉମରାନ ନିଲାମରେ ସାମିଲ ହୋଇଥିଲେ । ଉମରାନ କହିଥିଲେ ଯେ, କେକେଆର ଜର୍ସି ପିନ୍ଧିବା ପାଇଁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । କେକେଆର ଡିଫେଣ୍ଡିଂ ଚାମ୍ପିଅନ ଏବଂ ଏଥର ମଧ୍ୟ ଚାମ୍ପିଅନ ହେବା ଥୟ । ଉମରାନ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ଡେବ୍ୟୁ ମଧ୍ୟ କରି ସାରିଛନ୍ତି ।
ଅନ୍ୟପଟେ ତାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ ହୋଇଥିବା ଚେତନ ସକାରିୟା ମଧ୍ୟ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଛନ୍ତି । ସେ ଭାରତ ପାଇଁ ଗୋଟିଏ ଦିନିକିଆ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲରେ ୧୯ ମ୍ୟାଚ୍ ଖେଳିବାର ତାଙ୍କ ଅନୁଭବ ରହିଛି । ଏହି ବାମହାତୀ ବୋଲରଙ୍କୁ କେକେଆର ୭୫ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ କରିଛି ।
ଆଇପିଏଲ୍ ୨୦୨୫ର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ କେକେଆର ଓ ଆରସିବି । ଏହି ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ଏଥର କେକେଆରର ଅଧିନାୟକ ଅଛନ୍ତି ଆଜିଙ୍କ୍ୟ ରାହାଣେ । ଏଥର ଦଳରେ କିଛି ନୂଆ ଖେଳାଳି ଅଛନ୍ତି ।
କେକେଆରର ସମ୍ଭାବିତ ଏକାଦଶ
କ୍ୱିଣ୍ଟନ ଡିକକ୍(ୱିକେଟ୍ କିିପର), ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ଅଙ୍ଗକୃଷ ରଘୁବଂଶୀ, ରିଙ୍କୁ ସିଂ, ରମଣଦୀପ ସିଂ, ଆନ୍ଦ୍ରେ ରସେଲ, ସୁନିଲ ନାରିନେ, ହର୍ଷିତ ରାଣା, ଏନରିକ ନର୍ଖିଆ/ସ୍ପେନସର ଜନସନ, ବରୁଣ ଚକ୍ରବର୍ତ୍ତୀ ।
ଇମ୍ପାକ୍ଟ ପ୍ଲେୟାର- ମୟଙ୍କ ମାରକଣ୍ଡେ