ଗ୍ଵାଲିୟର: ଗ୍ୱାଲିୟରରେ ଖେଳାଯାଇଥିାବ ପ୍ରଥମ ଟି-୨୦ ମ୍ୟାଚ୍ରେ ଯୁବ ଭାରତୀୟ ଦଳ ବାଂଲାଦେଶକୁ ଅତି ସହଜରେ ୭ ୱିକେଟରେ ହରାଇଛି। ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ସୂର୍ୟ୍ୟଙକୁମାରଙ୍କ ବାହିନୀ ଭ୍ରମଣକାରୀ ବାଂଲାଦେଶକୁ ହରାଇ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମେହଦି ହସନ ମିରାଜ(୩୫) ଓ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ(୨୭)ଙ୍କ ରନ ବଳରେ ୧୨୭ ରନରେ କରିଥିଲା। ଜବାବରେ ଭାରତ ୧୧.୫ ଓଭରରେ ୩ ଓ୍ଵିକେଟ୍ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲ୍ରୁ ୩୯ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନ ୨୯ ରନ ଲେଖାଏଁ କରିଥିଲେ। ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନିରାଶଜନକ ଥିଲା। ଦୁଇ ଓପନର ପରଭେଜ ହୁସେନ ଇମୋନ(୮ ରନ) ଓ ଲିଟନ ଦାସ(୪ ରନ)ଙ୍କୁ ଆଉଟ୍ କରି ଅର୍ଶଦୀପ ସିଂ ଭାରତକୁ ଦୁଇଟି ସଫଳତା ଦେଇଥିଲେ। ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟ ଭୋଗିଥିଲା ବାଂଲାଦେଶ।
ମଧ୍ୟକ୍ରମରେ ଟୋହିଦ ହୃଦୟ ୧୨ ରନ, ମେହମୁଦୁଲ୍ଲା(୧) ଶସ୍ତାରେ ଆଉଟ୍ ହୋଇଥିଲେ। ଅଧିନାୟକ ସାଣ୍ଟୋ ୨୫ ବଲରୁ ୨୭ ରନ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ । ତସ୍କିନ ଅହମ୍ମଦ ୧୨ ରନ କରିଥିବା ବେଳେ ନିମ୍ନ ଅର୍ଡରରେ ମେହଦି ହସନ ମିରାଜ ୩୫ ରନର ଉଲ୍ଲେଖନୀୟ ଇନିଂସ ଖେଳିବାରୁ ବାଂଲାଦେଶ ୧୨୭ ରନ ସ୍କୋର କରି ପାରିଥିଲା ।
ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ମାତ୍ର ୧୪ ରନ ଦେଇ ୩ଟି ସଫଳତା ପାଇଥିଲେ। ବରୁଣ ଚକ୍ରବର୍ତ୍ତୀ ୩୧ ରନ ବିନିମୟରେ ୩ଟି ଓ୍ଵିକେଟ୍ ନେଇଥିଲେ ।
୧୨୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଦ୍ରୁତ ୨୫ ରନ ଯୋଡ଼ିଥିଲେ। ଅଭିଷେକ ୭ ବଲରୁ ୧୬ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ଦ୍ରୁତ ବ୍ୟାଟିଂ କରିଥିଲେ। ସେ ୧୪ ବଲ୍ରୁ ୨ ଚୌକା ଓ ୩ ଛକା ସହ ୨୯ ରନ କରି ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ସଞ୍ଜୁ ସାମସନଙ୍କ ସହଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡ଼ିଥିଲେ।
ସଞ୍ଜୁ ସାମସନ ୨୯ ରନର ଦ୍ରୁତ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ନୀତିଶ ରେଡ୍ଡୀ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଆଉ କୌଣସି କ୍ଷତି ହେବାକୁ ଦେଇନ ଥିଲେ । ଅବିଭାଜିତ ଚତୁର୍ଥ ଓ୍ଵିକେଟ୍ରେ ୫୨ ରନ ଯୋଡ଼ି ଦଳକୁ ୧୧.୫ ଓଭରରେ ଦଳକୁ ୭ ଓ୍ଵିକେଟ୍ରେ ଜିତାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୬ ବଲ୍ରୁ ୫ ଚୌକା ଓ ୨ ଛକା ସହ ୩୯ ରନରେ ଅପରାଜିତ ଥିଲେ। ପଦାର୍ପଣ ମ୍ୟାଚ୍ ଖେଳିଥିବା ନୀତିଶ ରେଡ୍ଡୀ ୧୬ ରନ କରିଥିଲେ।