ଆଡିଲେଡ: ଆଡିଲେଡରେ ଖେଳା ଯିବାକୁ ଥିବା ପିଙ୍କ ବଲ ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଛି । ଘରୋଇ ଦଳରେ ଗୋଟିଏ ପରିବର୍ତ୍ତନ ଦେଖିବାକୁ ମିଳିଥିବା ବେଳେ ଭାରତୀୟ ଦଳ ମଧ୍ୟ ଆପାତତଃ ନିଜର ଚୂଡାନ୍ତ ଏକାଦଶ ସ୍ପଷ୍ଟ କରି ସାରିଛି । ଏହି ଦିବାରାତ୍ର ଟେଷ୍ଟରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିବ । ପର୍ଥ ଟେଷ୍ଟରେ ଭଲ ପ୍ରଦର୍ଶନ କରି ନ ଥିବା ଦୁଇ ଖେଳାଳିଙ୍କୁ ବାଦ୍ ଦିଆଯିବ ।
ଆଡିଲେଡରେ କିଏ ଓପନିଂ କରିବ ତାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ରୋହିତ । ଦ୍ୱିତୀୟ ଟେଷ୍ଟରେ ଯଶସ୍ୱୀ ଜୟସ୍ୱାଲଙ୍କ ସହ କେଏଲ ରାହୁଲ ଇନିଂସ ଓପନ କରିବେ । ମଧ୍ୟକ୍ରମରେ ବ୍ୟାଟିଂ କରିବେ ଖୋଦ୍ ଅଧିନାୟକ ରୋହିତ ଶର୍ମା । ଚୂଡାନ୍ତ ଏକାଦଶକୁ ଶୁଭମନ ଗିଲଙ୍କ ପ୍ରତ୍ୟାବର୍ତ୍ତନ ଘଟିବ । ଗିଲ୍ ଦେବଦତ୍ତ ପାଡିକଲଙ୍କ ସ୍ଥାନ ନେବେ । ରୋହିତ ଧ୍ରୁବ ଜୁରଲେଙ୍କ ସ୍ଥାନ ନେବେ ।
ଆନୁଷ୍ଠାନିକ ଭାବେ ରୋହିତ ଶର୍ମା ଦଳର ଚୂଡାନ୍ତ ଏକାଦଶ ଘୋଷଣା କରି ନାହାନ୍ତି । ମାତ୍ର ତାଙ୍କର ସାମ୍ବାଦିକ ସମ୍ମିଳନୀ ଯେଉଁଭଳି ରହିଥିଲା, ସେଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଭାରତର ଚୂଡାନ୍ତ ଏକାଦଶ କିଭଳି ରହିବ । ବୋଲିଂରେ କୌଣସି ପରିବର୍ତ୍ତନର ସମ୍ଭାବନା କମ । ୱାଶିଂଟନ ସୁନ୍ଦର ଏକମାତ୍ର ସ୍ପିନର ଖେଳୁଥିବା ବେଳେ ଦ୍ରୁତ ବୋଲର ଭାବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ହର୍ଷିତ ରାଣା ଓ ଅଲରାଉଣ୍ଡର ନୀତିଶ ରେଡ୍ଡୀ ଖେଳିବେ । ଅନୁଭବୀ ସ୍ପିନର ଆର ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଦ୍ୱିତୀୟ ଟେଷ୍ଟରେ ବାହାରେ ବସିବାକୁ ପଡିପାରେ ।
ଭାରତୀୟ ଦଳର ଚୂଡାନ୍ତ ଏକାଦଶ
କେଏଲ ରାହୁଲ, ଯଶସ୍ୱୀ ଜୟସ୍ୱାଲ, ଶୁଭମନ ଗିଲ୍, ବିରାଟ କୋହଲି, ଋଷଭ ପନ୍ତ(ୱିକେଟ୍ କିପର), ରୋହିତ ଶର୍ମା(ଅଧିନାୟକ), ୱାଶିଂଟନ ସୁନ୍ଦର, ନୀତିଶ ରେଡ୍ଡୀ, ହର୍ଷିତ ରାଣା, ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ।