ଗତକାଲି ବିଶ୍ୱକପ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ଭାରତ । ଦିନିକିଆ କ୍ରିକେଟ୍ ମହାକୁମ୍ଭ ବିଶ୍ୱକପ୍ରେ ଭାରତର ଦମ୍ଦାର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି ଭାରତ। ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ବିରାଟ୍ କୋହଲି ଓ କେ.ଏଲ୍ ରାହୁଲ୍। ବିପର୍ଯ୍ୟୟ ପରେ ଉଭୟ ପାଳିକୁ ସମ୍ଭାଳିଥିଲେ ଓ ବିଜୟ ଦ୍ୱାରରେ ପହଞ୍ଚାଇ ଥିଲେ। ଅଷ୍ଟ୍ରେଲିଆକୁ ମାତ୍ ଦେଇ ବିଜୟ ସହ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଭାରତ । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ବିଜୟ ହୋଇଛି ମେନ୍ ଇନ୍ ବ୍ଳ୍ୟ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ବିରାଟ କୋହଲି ଓ କେ.ଏଲ ରାହୁଲ ପାଳି ସମ୍ଭାଳିଥିଲେ । ଦୁହିଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ କଙ୍ଗାରୁ ଦଳ ପରାଜିତ ହୋଇଥିଲେ । ବିରାଟ ୮୫ ଓ ରାହୁଲ ଅପରାଜିତ ୯୭ ରନ କରିଥିଲେ । ଲୋ’ ସ୍କୋରିଂ ମ୍ୟାଚ୍ ସତ୍ୱେ ଚେନ୍ନାଇରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ଟକ୍କର ହୋଇଥିଲା ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ତେବେ ଭାରତର ମାପଚୁପ ବୋଲିଂ, ପ୍ରଥମରୁ ହିଁ ଅଷ୍ଟ୍ରେଲିଆ ବ୍ୟାଟରଙ୍କୁ ହାତ ଖୋଲିବାକୁ ଦେଇନଥିଲା ।ଚେନ୍ନାଇର ଏମ୍ଏ ଚିଦାମ୍ୱାରମ୍ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚ୍ରେ ୨୦୦ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ। ଓପ୍ନିଂ କରିବାକୁ ଆସିଥିଲେ କ୍ୟାପ୍ଟେନ୍ ରୋହିତ ଶର୍ମା ଓ ଈଶାନ କିଶନ। ହେଲେ ଈଶାନ ଖାତା ଖୋଲି ନପାରି ପ୍ରଥମ ଓଭରର ଚତୁର୍ଥ ବଲ୍ରେ ପାଭିଲିୟନ୍ ଫେରି ଯାଇଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍ରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ ଆସିଥିଲେ ବିରାଟ୍ କୋହଲି। ଦ୍ୱିତୀୟ ଓଭରରେ ବୋଲିଂ କରିବାକୁ ଆସିଥିବା ଜୋଶ ହାଜେଲଉଡ ଭାରତ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ନିଜର ବ୍ୟକ୍ତିଗତ ଭାବେ ପ୍ରଥମ ଓଭରର ତୃତୀୟ ବଲ୍ରେ ରୋହିତଙ୍କୁ LBW କରିବା ବେଳେ ଷଷ୍ଠ ବଲ୍ରେ ଶ୍ରେୟସ ଆୟରଙ୍କୁ କ୍ୟାଚ୍ ଆଉଟ୍ କରିଥିଲେ ଜୋଶ ହାଜେଲଉଡ। ଅର୍ଥାତ ଈଶାନଙ୍କ ପରି ରୋହିତ ଓ ଶ୍ରେୟସ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ। ମାତ୍ର ୨ ରନ୍ରେ ଭାରତର ୩ଟି ୱିକେଟ୍ ଯାଇଥିଲା । ଶ୍ରେୟସ୍ ପରେ ଆସିଥିଲେ କେ.ଏଲ୍ ରାହୁଲ୍। କୋହଲି ଓ ରାହୁଲ୍ ମିଶି ପାଳିକୁ ସମ୍ଭାଳି ଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କୁ କଡ଼ ଯବାବ ଦେଇଥିଲେ। କ୍ରିଜ୍ରେ ସେଟ୍ ହେବା ପରେ ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। କୋହଲି ୧୧୬ ବଲ୍ରେ ୮୫ ରନ୍ କରି ଜୋଶ ହାଜେଲଉଡଙ୍କ ବଲ୍ରେ ଆଉଟ୍ ହୋଇଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ୮ ବଲ୍ରେ ୧୧ ରନ୍ କରିଥିବା ବେଳେ ରାହୁଲ୍ ୧୧୫ ବଲ୍ରେ ୯୭ ରନ୍ କରି ନଟ୍ଆଉଟ୍ ହେଇଥିଲେ ।
ବିରାଟ କୋହଲି ଓ କେ.ଏଲ ରାହୁଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ, ଅଷ୍ଟ୍ରେଲିଆର ଆଶା ଉପରେ ପାଣି ପକାଇ ଦେଇଥିଲା । ଯାହା ଭାରତର ବିଜୟ ରାସ୍ତାକୁ ସହଜ କରି ଦେଇଥିଲା । ୮୫ ରନ୍ କରି କୋହଲି ଆଉଟ୍ ହୋଇଥିବା ବେଳେ ୯୭ ରନ୍ କରି ଅପରାଜିତ ରହିଥିଲେ କେ.ଏଲ ରାହୁଲ । ୪୧.୨ ଓଭରରେ ଭାରତ ବିଜୟୀ ହୋଇଥିଲା। ୧୧ ରନ୍ କରି ହାର୍ଦିକ ପାଣ୍ଡ୍ୟା ଅପରାଜିତ ରହିଥିବା ବେଳେ ଦର୍ଶନୀୟ ଇଂନିସ ଖେଳି ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି କେଏଲ ରାହୁଲ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା କଙ୍ଗାରୁବାହିନୀ ଅଷ୍ଟ୍ରେଲିଆ । କିନ୍ତୁ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଛନ୍ତି ଅଷ୍ଟ୍ରେଲିଆ ଟିମ । ୪୯.୩ ବଲରେ ସମସ୍ତ ୱିକେଟ୍ ହରାଇ ଦଳ ସଂଗ୍ରହ କରିଥିଲା ୧୯୯ ରନ୍। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ କୁଲଦୀପ୍ ଦୁଇଟି ଲେଖାଏଁ ନେଇଥିଲେ। ସେହିପରି ମହମ୍ମଦ ସିରାଜ, ରବିଚନ୍ଦ୍ରନ ଅଶ୍ୱିନ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଅଧିକ ପଢ଼ନ୍ତୁ : ଭାରତକୁ ୨୦୦ ରନର ଟାର୍ଗେଟ