ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ପଲ୍ଲେକେଲ ଷ୍ଟାଡିୟମରେ ଖେଳାଯାଇଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଶେଷ ମ୍ୟାଚ୍ ଟାଇ ହେବା ପରେ ସୁପର ଓଭର ମାଧ୍ୟମରେ ଏହାର ଫଳ ବାହାର କରାଯାଇଛି। ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜକୁ ୩-୦ରେ ଦଖଲ କରିଛି। ଘରୋଇ ଦଳ ଶ୍ରୀଲଙ୍କାକୁ ତୃତୀୟ ତଥା ଶେଷ ମୁକାବିଲା ବିଜୟ ପାଇଁ ୧୩୮ ରନ୍ର ଲକ୍ଷ୍ୟ ମିଳିଥିଲା। କିନ୍ତୁ ଭାରତୀୟ ବୋଲରଙ୍କ କଠିନ ବୋଲିଂ ଯୋଗୁଁ ଶ୍ରୀଲଙ୍କା ଦଳ ଶେଷ ୫ ଓଭରରେ ୩୦ ରନ୍ ମଧ୍ୟ କରିପାରିନଥିଲା। ଶୁଭମନ ଗିଲ, ରିଆନ ପରାଗ, ୱାଶିଂଟନ ସୁନ୍ଦର, ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ଭାରତର ବିଜୟର ନାୟକ ଥିଲେ।
ଯୁବ ଖେଳାଳି ତଥା ପ୍ରାରମ୍ଭିକ ବ୍ୟାଟର ଶୁଭମନ ଗିଲ୍ ୩୭ ବଲ୍ ଖେଳି ୧୦୫.୪୧ ଷ୍ଟ୍ରାଇକ୍ ରେଟ୍ ରେ ୩୯ ରନ୍ କରିଥିଲେ। ସେ ନିଜ ଇନିଂସରେ ୩ଟି ଚୌକା ମାରିଥିଲେ। କ୍ରମାଗତ ଭାବେ ଓ୍ଵିକେଟ୍ ହରାଇଥିବା ଭାରତୀୟ ଇନିଂସକୁ ଶେଷରେ ରିଆନ୍ ପରାଗଙ୍କ ସମର୍ଥନ ମିଳିଥିଲା। ୭ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ରିଆନ ପରାଗ ଦ୍ରୁତ ରନ୍ କରିଥିଲେ। ସେ ୧୮ ବଲ୍ରୁ ୧୪୪.୪୪ ଷ୍ଟ୍ରାଇକ୍ ରେଟ୍ରେ ୨୬ ରନ୍ ସଂଗ୍ରହ କରିଥିଲେ।
ସେହିପରି ୱାଶିଂଟନ୍ ସୁନ୍ଦର ଏହି ମ୍ୟାଚରେ ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ କରିଥିଲେ। ସେ ୧୮ ବଲ୍ରୁ ୨୫ ରନ୍ କରିଥିଲେ। ଏହାବ୍ୟତୀତ ସେ ୫.୮ ଇକୋନୋମିରେ ୪ ଓଭରରେ ୨୩ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ସୁପର ଓଭରରେ ସୁନ୍ଦର ୨ଟି ୱିକେଟ୍ ନେଇଥିଲେ। ଏଭଳି ସ୍ଥିତିରେ ଶ୍ରୀଲଙ୍କା ଦଳ ମାତ୍ର ୨ ରନ୍ କରିପାରିଥିଲା ଏବଂ ସୁପର ଓଭରରେ ଭାରତକୁ ୩ ରନ୍ ଟାର୍ଗେଟ ମିଳିଥିଲା।
ବ୍ୟାଟିଂରେ ବିଫଳ ହୋଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବୋଲିଂରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ସେ ନିଜେ ୨୦ତମ ଓଭର କରିବାକୁ ସ୍ଥିର କରିଥିଲେ। ଏହି ଓଭରରେ ଶ୍ରୀଲଙ୍କାକୁ ବିଜୟ ପାଇଁ ୬ ରନ୍ ଦରକାର ଥିଲା, କିନ୍ତୁ ସୂର୍ଯ୍ୟ ମାତ୍ର ୫ ରନ୍ ଦେଇଥିଲେ। ଖାଲି ସେତିକି ନୁହେଁ ଏହି ଓଭରରେ ସେ ୨ଟି ୱିକେଟ୍ ମଧ୍ୟ ନେଇଥିଲେ।
ଶେଷ ୨ ଓଭରରେ ଶ୍ରୀଲଙ୍କାକୁ ବିଜୟ ପାଇଁ ୯ ରନ୍ ଦରକାର ଥିଲା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୧୯ତମ ଓଭର ରିଙ୍କୁ ସିଂହଙ୍କୁ ଦେଇଥିଲେ। ରିଙ୍କୁ ବୋଲିଂ ଏହି ଓଭରରେ ମାତ୍ର ୩ ରନ୍ ଦେବା ସହ ୨ଟି ୱିକେଟ୍ ମଧ୍ୟ ନେଇଥିଲା। ତାଙ୍କ ବୋଲିଂ ଯୋଗୁଁ ମ୍ୟାଚ୍ ସୁପର ଓଭରରେ ପହଞ୍ଚିଥିଲା।