କାନପୁର: ପ୍ରଥମ ଦିନ ମାତ୍ର ୩୫ ଓଭର ଖେଳ ହେବା ଏବଂ ଦ୍ୱିତୀୟ ଓ ତୃତୀୟ ଦିନର ଖେଳ ସଂପୂର୍ଣ୍ଣ ବାତିଲ ହେବା ପରେ ବି କାନପୁର ଟେଷ୍ଟକୁ ସହଜରେ ଜିତି ନେଇଛି ଭାରତ । ମାତ୍ର ଦୁଇ ଦିନରେ ମ୍ୟାଚର ଫଳାଫଳ ବାହାରିଛି । ପଞ୍ଚମ ଦିନରେ ଚା ପାନ ବିରତି ପୂର୍ବରୁ ଭାରତ ଭ୍ରମଣକାରୀ ବାଂଲାଦେଶକୁ ୭ ୱିକେଟରେ ହରାଇଛି । ଏହି ବିଜୟ ସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୨-୦ରେ ଜିତି କ୍ଲିନ ସୁଇପ୍ କରିଛି । ଦ୍ୱିତୀୟ ଇନିଂସରେ ବାଂଲାଦେଶ ୧୪୬ ରନରେ ଅଲଆଉଟ୍ ହେବା ପରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତକୁ ୯୫ ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଜବାବରେ ଭାରତ ୧୭.୨ ଓଭରରେ ୩ ୱିକେଟ ହରାଇ ବିଜୟ ହାସଲ କରି ନେଇଛି । ଯଶସ୍ୱୀ ଜୟସ୍ୱାଲ ୫୧ ରନ କରିଥିବା ବେଳେ ବିରାଟ କୋହଲି ୨୯ ରନ କରି ଅପରାଜିତ ଥିଲେ। ଘରୋଇ ମାଟିରେ ଭାରତର ଏହା ହେଉଛି ଲଗାତାର ୧୮ତମ ଟେଷ୍ଟ ସିରିଜ୍ ବିଜୟ ।
ଏହା ପୂର୍ବରୁ ଚତୁର୍ଥ ଦିନର ଅସମାପ୍ତ ଖେଳ ୨୬/୨ରୁ ଖେଳ ଆରମ୍ଭ କରିଥିଲା । ପଞ୍ଚମ ଦିନର ପ୍ରଥ ସେସନରେ ଭାରତୀୟ ବୋଲର ଘାତକ ବୋଲିଂ କରି ବାଂଲାଦେଶ ବ୍ୟାଟରଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ଶାଦମାନ ଇସଲାମଙ୍କୁ ବାଦ୍ ଦେଲେ ଅନ୍ୟ ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ଶାଦମାନ ଇସଲାମ(୫୦) ଓ ମୁସଫିକର ରହିମ(୩୭) ଇନିଂସ ଖେଳିଥିଲେ । ଯଶପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇ ବାଂଲାଦେଶର ସ୍କୋରକୁ ୧୪୬ ରନରେ ସୀମିତ ରଖିଥିଲେ । ଫଳରେ ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୯୫ ରନ ବିଜୟ ଲକ୍ଷ୍ୟ ମିଳିଥିଲା ।
ଦ୍ୱିତୀୟ ଇନିଂସରେ ୯୫ ରନର ବିଜୟ ଲକ୍ଷ୍ୟ ପିଛା କରିବା ସମୟରେ ଭାରତକୁ ୧୮ ରନ ସ୍କୋରରେ ଅଧିନାୟକ ରୋହିତ ଶର୍ମା(୮)ଙ୍କ ରୂପେ ପ୍ରଥମ ଝଠକା ଲାଗିଥିଲା । ଏହା ପରେ ଶୁଭମନ ଗିଲ୍(୬) ଶସ୍ତାରେ ଆଉଟ୍ ହୋଇଥିଲେ । ଯଶସ୍ୱୀ ଜୟସ୍ୱାଲ ନିଜର ଦମଦାର ଫର୍ମ ବଜାୟ ରଖି ଦିନିକିଆ ଷ୍ଟାଇଲରେ ବ୍ୟାଟିଂ କରି କ୍ରମାଗତ ଟେଷ୍ଟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଜୟସ୍ୱାଲ ଓ ବିରାଟ କୋହଲି ୩ୟ ୱିକେଟ୍ ପାଇଁ ୫୮ ରନ ଯୋଡି ଦଳକୁ ବିଜୟର ଦ୍ୱାର ଦେଶରେ ପହଞ୍ଚାଇଥିଲେ । ଏହି ବାମହାତୀ ବ୍ୟାଟର ୪୫ ବଲରୁ ୮ ଚୌକା ଓ ୧ ଛକା ସହ ୫୧ ରନ କରି ପାଭିଲିୟନ ଫେରିଥିଲେ । ବିରାଟ କୋହଲି ୩୭ ରନରେ ଅପରାଜିତ ଥିଲେ । ଏହିପରି ଭାରତ ୧୭.୨ ଓଭରରେ ୩ ୱିକେଟ ହରାଇ ବିଜୟ ହାସଲ କରି ନେଇଛି ।
ସୂଚନାଯୋଗ୍ୟ, ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନରେ ଅଲଆଉଟ୍ ହୋଇଥିଲା । ଦଳ ପକ୍ଷରୁ ମୋନିମୁଲ ହକ ୧୦୭ ରନର ଅପରାଜିତ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୩ ସଫଳତା ପାଇଥିଲେ । ଜବାବରେ ଭାରତ ଟି-୨୦ ଷ୍ଟାଇଲରେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୮୫/୯ରେ ଇନିଂସ ସମାପ୍ତ ଘୋଷଣା କରିଥିଲା । ଯଶସ୍ୱୀ ଜୟସ୍ୱାଲ ୭୨ ରନ ଓ କେଏଲ ରାହୁଲ ୬୮ ରନର ଇନିଂସ ଖେଳିଥିଲେ ।