ନୂଆଦିଲ୍ଲୀ : ପ୍ରଥମ ଖୋ ଖୋ ବିଶ୍ୱକପ୍ ଚାମ୍ପିୟନ ହେଲା ଭାରତୀୟ ମହିଳା ଦଳ । ନେପାଳ ମହିଳା ଖୋଖୋ ଦଳକୁ ପରାସ୍ତ କରି ବିଜୟ ହାସଲ କରିଛି ଭାରତୀୟ ମହିଳା ଖୋଖୋ ଦଳ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ମହିଳା ଖୋଖୋ ଦଳ ଐତିହାସିକ ବିଜୟ ହାସଲ କରି ଗୌରବ ଆଣିଛନ୍ତି ।
ରବିବାର ଭାରତରେ ଏହାର ପ୍ରଥମ ସଂସ୍କରଣ ଖେଳା ଯାଇଥିବା ବେଳେ ଫାଇନାଲରେ ଭାରତ ୭୮-୪୦ରେ ନେପାଳକୁ ପରାସ୍ତ କରିଥିଲା । ପ୍ରଥମ ପାଳି ସୁଦ୍ଧା ଭାରତ ୩୪-୦ ର ଅଗ୍ରଣୀ ରହି ବିପକ୍ଷ ଟିମକୁ ଚାପରେ ପକାଇଥିଲେ । ଦ୍ବିତୀୟ ପାଳି ସୁଦ୍ଧା ନେପାଳ ଟିମ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଭାରତ ୩୫-୨୪ରେ ଅଗ୍ରଣୀ ରହିଥିଲା । ୩ୟ ପାଳିରେ ଭାରତ ୩୮ ପଂଏଟ ହାସଲ କରି ମ୍ୟାଚକୁ ସହଜରେ ଜିତି ନେଇଥିଲା ।
ତେବେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଭାରତ ଅପରାଜୟ ରହି ଟାଇଟଲ ହାସଲ କରିଛି । ଟିମ ଇଣ୍ଡିଆ ଦକ୍ଷିଣ କୋରିଆ, ଇରାନ ଓ ମାଲେସିଆକୁ ଗ୍ରୁପ ପର୍ଯ୍ୟାୟରେ ପରାସ୍ତ କରିଥିବା ବେଳେ ସେମିରେ ଦକ୍ଷିଣ ଆଫ୍ରିକାୁ ହରାଇଥିଲେ । ନେପାଳ ମଧ୍ୟ ଅପରାଜେୟ ରହି ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଭାରତକୁ ହରାଇ ପାରି ନ ଥିଲା ।
ତେବେ ମହିଳା ଖୋଖୋ ଦଳ ବିଶ୍ୱ ଚାମ୍ପିୟନ ବନିବା ପରେ କ୍ରୀଡ଼ାମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଟ୍ୱିଟ୍ କରି ମହିଳା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି କି, ଭାତୀୟ ମହିଳା ଖୋଖୋ ଦଳର ସମସ୍ତ କ୍ରୀଡ଼ାବିତମାନେ ବିଶ୍ୱ ମଞ୍ଚରେ ଆମ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଆଜିର ଏହି ଐତିହାସିକ ବିଜୟ ଦେଶର ଲକ୍ଷ ଲକ୍ଷ ଯୁବ ମହିଳା କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବା ପାଇଁ ପ୍ରେରଣା ପ୍ରଦାନ କରିବ ।
ଖୋ ଖୋ ଖେଳାଳୀଙ୍କ ପାଇଁ ସବୁଠାରୁ ବଡ କଥା ୨୦୨୫ ଜାନୁଆରୀ ଠାରୁ ୨୦୨୭ ଡିସେମ୍ବର ବା ୩ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ସରକାର ଭାରତୀୟ ଜାତୀୟ ଖୋଖୋ ଦଳକୁ ସ୍ପନସର୍ କରୁଛନ୍ତି । ଏଥିପାଇଁ ବର୍ଷକୁ ୫ କୋଟି ଏବଂ ସମୁଦାୟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ ।