କାନପୁର: ଭାରତ ଓ ବାଂଲାଦେଶ ଟିମ୍ ମଧ୍ୟରେ କାନପୁର ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନ। ପଞ୍ଚମ ଦିନ ଆରମ୍ଭରୁ ବାଂଲାଦେଶ ବ୍ୟାଟିଂ କରିଥିଲା। ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ମାତ୍ର ୩ ରନ୍ ଭିତରେ ଦଳ ୪ଟି ୱିକେଟ୍(ନାଜମୁଲ ହୁସେନ, ସାଡମ୍ୟାନ ଇସଲାମ, ଲିଟନ ଦାସ ଓ ଶାକିବ-ଅଲ-ହାସନ) ହରାଇଛି। ବାଂଲାଦେଶ ଦ୍ବିତୀୟ ପାଳିରେ ସମସ୍ତ ୱିକେଟ୍ ହରାଇ ୧୪୬ ରନ୍ କରିଛି। ଫଳରେ ଅତିଥି ଦଳ ୯୪ ରନ୍ରେ ଅଗ୍ରଣୀ ରହିଛି। ଭାରତ ଏହି ମ୍ୟାଚ୍ ଜିତିବା ପାଇଁ ୬୨ ଓଭରରେ ୯୫ ରନ୍ ଦରକାର କରୁଛି।
ଦ୍ବିତୀୟ ପାଳିରେ ଶାଦମ୍ୟାନ ଇସଲାମ ଦଳ ପାଇଁ ସର୍ବାଧିକ ୫୦ ରନ୍ ସଂଗ୍ରହ କରିଥିଲେ। ମୁଶଫିକର ରହିମ୍ ୩୭ ରନ୍ ସଂଗ୍ରହ କରିଥିବା ବେଳେ ଜାକିର ହୁସେନଙ୍କ ବ୍ୟାଟରୁ ୧୦ ରନ୍ ଅମଳ ହୋଇଥିଲା। ଦଳର ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ୭ ଜଣ ଖେଳାଳିଙ୍କର ସ୍କୋର ୨ ଅଙ୍କ ବିଶିଷ୍ଟ ହୋଇପାରି ନଥିଲା। ଏଥିରେ ଦୁଇ ଜଣ ଖେଳାଳି ଖାତା ଖୋଲିପାରି ନଥିଲେ।
ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନ, ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଦେଜା ୩ଟି ଲେଖାଏଁ ୱିକେଟ ନେଇଥିଲେ। ଆକାଶ ଦୀପଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।
ଚତୁର୍ଥ ଦିନ ଷ୍ଟମ୍ପ ପର୍ଯ୍ୟନ୍ତ ବାଂଲାଦେଶ ନିଜର ଦ୍ବିତୀୟ ପାଳିରେ ୨ଟି ୱିକେଟ ହରାଇ ୨୬ ରନ୍ ସଂଗ୍ରହ କରିଥିଲା। ଖେଳର ଚତୁର୍ଥ ଦିନରେ ବାଂଲାଦେଶ ପ୍ରଥମ ପାଳିରେ ୨୩୩ ରନ୍ରେ ଅଲଆଉଟ୍ ହୋଇଥିଲା। ଜବାବରେ ଭାରତ ନିଜର ପ୍ରଥମ ପାଳିରେ ୯ଟି ୱିକେଟ ହରାଇ ୨୮୫ ରନ୍ ସଂଗ୍ରହ କରିଥିଲା। ଭାରତକୁ ପ୍ରଥମ ପାଳି ଆଧାରରେ ୫୨ ରନ୍ର ଅଗ୍ରଣୀ ମିଳିଥିଲା।
ଏହି ମ୍ୟାଚର ଆରମ୍ଭରୁ ବର୍ଷା ବିପର୍ଯ୍ୟୟ ସୃଷ୍ଟି କରିଥିଲା। ତୃତୀୟ ଦିନ ଆଦୌ ଖେଳାଯାଇ ପାରି ନଥିଲା। କାରଣ ବର୍ଷା ଯୋଗୁଁ ପଡ଼ିଆ ଓଦା ଥିଲା। ଦ୍ବିତୀୟ ଦିନ ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ଖେଳାଯାଇ ପାରି ନଥିଲା। ଅନ୍ୟପଟରେ ଖରାପ ପାଗ ଯୋଗୁଁ ପ୍ରଥମ ଦିନ କେବଳ ୩୫ ଓଭର ମ୍ୟାଚ ଖେଳାଯାଇ ପାରିଥିଲା। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଚେନ୍ନାଇ ଟେଷ୍ଟରେ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଥିଲା।
ଅଧିକ ପଢ଼ନ୍ତୁ: ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ହିନ୍ଦୁତ୍ୱ ଛାଡ଼ିବି ନାହିଁ