ନୂଆଦିଲ୍ଲୀ: ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ପୂର୍ବତନ ଭାରତୀୟ ଚୟନକର୍ତ୍ତା କୃଷ୍ଣମାଚାରୀ ଶ୍ରୀକାନ୍ତ ବାରମ୍ବାର ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ସମାଲୋଚନା କରିଛନ୍ତି। ଏବେ, ସେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସମ୍ପର୍କରେ ସେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ୨୦୨୭ ବିଶ୍ୱକପରେ ରୋହିତ ଓ ବିରାଟଙ୍କ ଖେଳିବା ନେଇ କୌଣସି ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ। ବିରାଟ ଏବଂ ରୋହିତ ପୂର୍ବରୁ ଟୁର୍ଣ୍ଣାମେଣ୍ଟ ପାଇଁ ସେମାନଙ୍କର ସ୍ଥାନ ସୁରକ୍ଷିତ କରିସାରିଛନ୍ତି। ଏକାଠି, ସେମାନେ ୩୯୨ ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
ଦକ୍ଷିଣ ଆଫ୍ରିକା ବିପକ୍ଷ ରାଞ୍ଚି ଦିନିକିଆରେ ରୋହିତ ଏବଂ କୋହଲି ୧୦୯ ବଲ୍ରେ ୧୩୬ ରନ୍ର ଭାଗୀଦାରୀ କରିଥିଲେ। ଫଳରେ ଭାରତ ୫୦ ଓଭରରେ ୩୪୯ ରନ କରି ପାରିଥିଲା।ଏହି ଭାଗିଦାରୀ ଭାରତ ବିଜୟରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଭାରତ ୧୭ ରନ୍ରେ ମ୍ୟାଚ୍ ଜିତି ସିରିଜ୍ରେ ୧-୦ର ଅଗ୍ରଣୀ ହାସଲ କରିଛି। କୋହଲି ୧୩୫ ରନ୍ କରିଥିବା ବେଳେ ରୋହିତ ଆକ୍ରମଣାତ୍ମକ ୫୭ ରନ୍ କରିଥିଲେ। ଦିନିକିଆରେ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି ରୋହିତ।
ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ରେ ଶ୍ରୀକାନ୍ତ କହିଛନ୍ତି ଯେ ଏହି ଦୁଇ ଷ୍ଟାର ଖେଳାଳିଙ୍କ ବିନା ଭାରତର ବିଶ୍ୱକପ୍ ଯୋଜନା ସଫଳ ହୋଇପାରିବନି। କୋହଲି ଏବଂ ରୋହିତ ଏକ ଭିନ୍ନ ସ୍ତରରେ ଖେଳୁଛନ୍ତି। ଉଭୟଙ୍କ ବିନା ୨୦୨୭ ବିଶ୍ୱକପ୍ ଯୋଜନା କରାଯାଇ ପାରିବ ନାହିଁ। ଆପଣଙ୍କୁ ଗୋଟିଏ ପାର୍ଶ୍ୱରେ ରୋହିତ ଏବଂ ଅନ୍ୟ ପାର୍ଶ୍ୱରେ ବିରାଟଙ୍କ ଆବଶ୍ୟକତା ଅଛି। ଏ ବିଷୟରେ କୌଣସି ପ୍ରଶ୍ନ ଉଠାଇବା ଉଚିତ୍ ନୁହେଁ। ଯଦି ରୋହିତ ଏବଂ କୋହଲି ୨୦ ଓଭର ପାଇଁ ବ୍ୟାଟିଂ କରନ୍ତି, ତେବେ ପ୍ରତିପକ୍ଷର ଗେମ୍ ଓଭର ହୋଇଯିବ। ରାଞ୍ଚି ଦିନିକିଆରେ ତାହା ହିଁ ଘଟିଛି।
ଶ୍ରୀକାନ୍ତ ଉଭୟ ଖେଳାଳିଙ୍କ ଫିଟନେସକୁ ମଧ୍ୟ ପ୍ରଶଂସା କରିଛନ୍ତି। କୋହଲି ୩୭ ଓ ରୋହିତ ୩୮ ବର୍ଷ ବୟସରେ କେବଳ ଗୋଟିଏ ଫର୍ମାଟ୍ ଖେଖୁଛନ୍ତି। କେବଳ ରନ ନୁହେଁ, ସେମାନେ ନିଜ ଫିଟନେସ ଉପରେ ମଧ୍ୟ କଠିନ ପରିଶ୍ରମ କରିଛନ୍ତି। କେବଳ ଗୋଟିଏ ଫର୍ମାଟ୍ ଖେଳୁଥିବା ସମୟରେ ନିଜର ମାନସିକତା ବଜାୟ ରଖିବା ସହଜ ନୁହେଁ। ମୋ ମତରେ, ଦୁହେଁ ୨୦୨୭ ବିଶ୍ୱକପ୍ ପାଇଁ ସେମାନଙ୍କର ସ୍ଥାନ ସୁରକ୍ଷିତ କରିଛନ୍ତି।