ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଟି-୨୦ ଦଳର ବିଶ୍ୱକପ୍ ଅଭିଯାନ ନିରାଶଜନକ ରହିଛି । ଦଳ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ହାତରୁ ଶୋଚନୀୟ ପରାଜୟ ଭୋଗିଛି । ଏହି ପରାଜୟରେ ଦଳକୁ ପଏଣ୍ଟ ଟେବୁଲରେ ବହୁତ କ୍ଷତି ଘଟିଛି। କାରଣ ଭାରତର ନେଟ୍ ରନ ରେଟ୍ ବିଯୁକ୍ତ ୨.୯୦୦ ରହିଛି । ଟୁର୍ଣ୍ଣାମେଣ୍ଟରେ ଅନ୍ୟ ୯ ଦଳ ତୁଳନାରେ ବହୁତ ଖରାପ ରହିଛି । ଏବେ ଭାରତୀୟ ଦଳକୁ ନିଜର ଆଗାମୀ ସମସ୍ତ ମ୍ୟାଚ୍ ଜିତିବାକୁ ପଡିବ । ଏବେ ଗୋଟିଏ ମ୍ୟାଚ୍ ହାରିଲେ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବାର ଆଶଙ୍କା ଉପୁଜିବ । ଆସନ୍ତାକାଲି ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍ ଭାରତୀୟ ମହିଳା ଦଳ ପାଇଁ ‘କର ବା ମର’ ସ୍ଥିତି ସୃଷ୍ଟି କରିଛି ।
ପାକିସ୍ତାନ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍ ଦଳର ରେକର୍ଡ ଦମଦାର ରହିଛି । ଦଳ ୧୫ଟି ମ୍ୟାଚରୁ ୧୨ଟି ଜିିତିଛି । ମାତ୍ର କ୍ରିକେଟ୍ ଏକ ଅନିଶ୍ଚିତତାର ଖେଳ । ମ୍ୟାଚ୍ ଦିନ ଯେଉଁ ଦଳ ଚାପକୁ କାବୁରେ ରଖି ଭଲ ପ୍ରଦର୍ଶନ କରିବ ସେ ହିଁ ବିଜୟୀ ହେବ । ଏବେ ଭାରତକୁ ଗୋଟିଏ ବି ପରାଜୟ ବରଦାସ୍ତ ହେବନି । ରବିବାର ଯେମିତି ହେଲେ ପାକିସ୍ତାନକୁ ହରାଇ ଭାରତକୁ ସିରିଜରେ ତିଷ୍ଠି ରହିବା ସହ ନିଜର ସ୍ଥିତି ମଜବୁତ କରିବାକୁ ପଡିବ ।
ଗ୍ରୁପ ପର୍ଯ୍ୟାୟରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆକୁ ବି ଭେଟିବ । କଙ୍ଗାରୁ ଦଳ ବିପକ୍ଷରେ ଭାରତୀୟ ଦଳର ରେକର୍ଡ ନିରାଶଜନକ ରହିଛି । ତେଣୁ ଭାରତକୁ ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନ ସହ ଶ୍ରୀଲଙ୍କାକୁ କେବଳ ହରାଇଲେ ଚଳିବ ନାହିଁ । ଦଳକୁ ବଡ ବ୍ୟବଧାନରେ ଜିତିବାକୁ ପଡିବ । ଏମିତି ହେଲେ ଦଳର ନେଟ୍ ରନ ରେଟରେ ସୁଧାର ଆସିବ ।