ନୂଆଦିଲ୍ଲୀ: ଭାରତୀୟ ଦଳ ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୬ରେ ବିଜୟ ସହ ଦମଦାର ଆରମ୍ଭ କରିଛି। ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ଵରେ ଦଳ ପ୍ରଥମ ମ୍ୟାଚରେ ଆମେରିକାକୁ ୬ ୱିକେଟ୍ରେ ପରାସ୍ତ କରିଛି। ହେନିଲ୍ ପଟେଲ ୫ ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବୈଭବ ସୂର୍ଯ୍ୟବଂଶୀ ଆଜିର ମ୍ୟାଚରେ ବିଫଳ ହୋଇଛନ୍ତି। ୧୦୭ ଟାର୍ଗେଟ୍ର ପିଛା କରି ଭାରତ ଡକ ଓ୍ଵର୍ତ ଲୁଇସରେ ମ୍ୟାଚକୁ ୬ ଓ୍ଵିକେଟରେ ଜିତି ନେଇଛି। ଅଭିଜ୍ଞାନ ଅଭିଷେକ କୁଣ୍ଡୁ ୪୨ ରନ୍ର ଅପରାଜିତ ଇନିଂସ୍ ଖେଳିଛନ୍ତି।
କ୍ଵିନ୍ସ ସ୍ପୋର୍ଟ୍ସ କ୍ଲବ୍ରେ ଖେଳାଯାଇଥିବା ଏହି ମ୍ୟାଚରେ ଆୟୁଷ ମହାତ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେନିଲ୍ ପଟେଲ ଅମ୍ରିନ୍ଦର ଗିଲ୍ଙ୍କ ରୂପରେ ଆମେରିକାର ପ୍ରଥମ ୱିକେଟ୍ ନେଇଥିଲେ। ହେନିଲ୍ ଚମତ୍କାର ବୋଲିଂ କରି, ନିୟମିତ ବ୍ୟବଧାନରେ ୱିକେଟ୍ ନେଇଥିଲେ। ସେ ମୋଟ ୫ ୱିକେଟ୍ ନେଇ ଆମେରିକାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଫଳରେ ଆମେରିକା ୩୫.୨ ଓଭରରେ ୧୦୭ ରନରେ ଅଲଆଉଟ୍ ହୋଇଥିଲା।
ଲକ୍ଷ୍ୟର ପିଛା କରି ଭାରତର ପ୍ରଥମ ୱିକେଟ୍ ତୃତୀୟ ଓଭରରେ ହିଁ ପଡ଼ିଥିଲା। ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ। ୪ ଓଭର ପରେ ଭାରତର ସ୍କୋର ୧ ୱିକେଟ ହରାଇ ୨୧ ରନ ଥିଲା, ବର୍ଷା ଯୋଗୁଁ ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା ଏବଂ ଆଉଟଫିଲ୍ଡ ଓଦା ଥିବାରୁ ମ୍ୟାଚ୍ ଦୀର୍ଘ ସମୟ ପାଇଁ ବନ୍ଦ ରହିଥିଲା। ମ୍ୟାଚ୍ ପୁଣି ଥରେ ଆରମ୍ଭ ହେବା ପରେ ଭାରତକୁ ୩୭ ଓଭରରେ ୯୬ ରନର ଟାର୍ଗେଟ ଦିଆଯାଇଥିଲା। ପଞ୍ଚମ ଓଭରରେ ୨ ରନ କରି ବେଦାନ୍ତ ଅଳ୍ପେଶକୁମାର ତ୍ରିବେଦୀ ମଧ୍ୟ ପାଭିଲିୟନ ଫେରିଥିଲା।
ଅଧିନାୟକ ଆୟୁଷ ମହାତ୍ରେଙ୍କ ରୂପରେ ଭାରତର ତୃତୀୟ ୱିକେଟ ୨୫ ରନରେ ପତନ ହୋଇଥିଲା। ମହାତ୍ରେ ମାତ୍ର ୧୯ ରନ କରି ପାରିଥିଲେ। ଏହା ପରେ ବିହାନ ମାଲହୋତ୍ରା ଏବଂ ଅଭିଜ୍ଞାନ ଅଭିଷେକ କୁଣ୍ଡୁଙ୍କ ମଧ୍ୟରେ ୪୫ ରନର ଭାଗୀଦାରି ହୋଇଥିଲା। ବିହାନ ୧୭ ବଲରୁ ୧୮ ରନ କରି ଆଉଟ ହୋଇଥିଲେ। ଅଭିଜ୍ଞାନ ୪୧ ବଲରୁ ଅପରାଜିତ ୪୨ ରନ କରି ୫ ଚୌକା ଏବଂ ୧ ଛକା ମାରିଥିଲେ। ଭାରତ ୧୮ତମ ଓଭରରେ ୬ ୱିକେଟରେ ବିଜୟୀ ହୋଇ ଲକ୍ଷ୍ୟ ହାସଲ କରିଥିଲା।
ପ୍ରଥମେ ବ୍ୟାଟିଂ କରି ଆମେରିକା ୧୦୭ ରନରେ ଅଲଆଉଟ୍ ହୋଇଗଲା। ଭାରତ ପକ୍ଷରୁ ହେନିଲ ପଟେଲ ସର୍ବାଧିକ ୫ଟି ୱିକେଟ ନେଇଥିଲେ। ସେ ତାଙ୍କ ସାତ ଓଭରରେ ମାତ୍ର ୧୬ ରନ ଦେଇଥିଲେ। ହେନିଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଦିପେଶ ଦେବେନ୍ଦ୍ରନ, ଅମ୍ବ୍ରିଶ, ଖିଲନ ପଟେଲ ଏବଂ ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକେ ଗୋଟିଏ ୱିକେଟ ନେଇଥିଲେ।