ଶୁକ୍ରବାରଠାରୁ ଚେନ୍ନାଇ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍(IPL)ର ୧୭ତମ ସଂସ୍କରଣ ଆରମ୍ଭ ହୋଇଥିବା ବେଳେ ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ପରାସ୍ତ କରିଛି।
ଶୁକ୍ରବାର ଉଦ୍ଘାଟନୀ ମ୍ୟାଚରେ RCB ୨୦ ଓଭରରେ ୬ ୱିକେଟରେ ହରାଇ ୧୭୩ ରନ୍ କରିଥିବା ବେଳେ CSK ୧୮.୪ ଓଭରରେ ୪ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା। CSK ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ୩୭, ଶିବମ ଦୁବେ ୩୪*, ଅଜିଙ୍କ୍ୟ ରାହାନେ ୨୭, ରବୀନ୍ଦ୍ର ଜାଡେଜା ୨୫* ଓ ଡାରିଲ ମିଚେଲଙ୍କ ୨୨ ରନ କରିଥିଲେ। ୧୧୦ ରନରେ ଚେନ୍ନାଇ ୪ର୍ଥ ୱିକେଟ ହରାଇଥିବା ବେଳେ ଦୁବେ ଓ ଜାଡେଜା ଅସମାପ୍ତ ୫ମ ୱିକେଟ ୩୭ ବଲ୍ରୁ ୬୬ ରନ ଯୋଗକରି ଦଳକୁ ବିଜୟୀ କରିଥିଲେ। RCB ବୋଲରଙ୍କ ମଧ୍ୟରେ କାମେରନ ଗ୍ରୀନ୍ ୨ଟି ଏବଂ ୟଶ ଦୟାଲ ଓ କର୍ନ ଶର୍ମା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।
ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ RCB ଅଧିନାୟକ ଫାଫ୍ ଡୁପ୍ଲେସି। ଓପନିଂ ଯୋଡ଼ିରେ ବିରାଟ କୋହଲିଙ୍କ ସହ ୪୧ ରନ କରିବା ପରେ ଡୁପ୍ଲେସି ବ୍ୟକ୍ତିଗତ ୩୫(୩୧) ରନକରି ଆଉଟ ହୋଇଥିଲେ। ଏହାପରେ ରଜତ ପଟିଦାର ଓ ଗ୍ଲେନ ମ୍ୟାକ୍ସଓ୍ବେଲ ଡକ୍ (୦)ରେ ଆଉଟ ହେବାରୁ ଆରସିବି ସ୍କୋର ୪୧/୧ରୁ ୪୨/୩ ହୋଇଯାଇଥିଲା। କୋହଲି ୨୦ ବଲରୁ ୨୧ ଓ କାମେରନ ଗ୍ରୀନ୍ ୧୮ ରନକରି ପ୍ୟାଭିଲିୟନ ଫେରିବାରୁ ୧୧.୪ ଓଭର ବେଳକୁ ଦଳୀୟ ସ୍କୋର ୭୮/୫ ହୋଇଥିଲା। ଦୀନେଶ କାର୍ତ୍ତିକ ଓ ଅନୁଜ ରାଓ୍ବତ ୬ଷ୍ଠ ୱିକେଟରେ ୫୦ ବଲ୍ରୁ ୯୫ ରନ ଯୋଗ କରିବାରୁ ଆରସିବି ସ୍କୋର ୧୭୩ରେ ପହଞ୍ଚି ପାରିଥିଲା। ଇନିଂସର ଶେଷ ବଲ୍ରେ ରନ୍ ଆଉଟ ହୋଇଥିବା ରାଓ୍ବତ ୨୫ ବଲ୍ରୁ ସର୍ବାଧିକ ୪୮ ରନ ସ୍କୋର କରିଥିଲେ। କାର୍ତ୍ତିକ ୩୮ (୨୬) ରନରେ ଅପରାଜିତ ରହିଥିଲେ CSK ପକ୍ଷରୁ ମୁସ୍ତାଫିଜୁର ରହମନ ୪ଟି ଓ ଦୀପକ ଚହର ଗୋଟିଏ ୱିକେଟ ନେଇଥିଲେ।
ଅଧିକ ପଢନ୍ତୁ: ମସ୍କୋରେ ଆତଙ୍କୀ ହମଲା: ୬୦ ମୃତ, ଶତାଧିକ ଆହତ