ନୂଆଦିଲ୍ଲୀ: ଆଉ ଏକ ଗ୍ଲୋବାଲ ଟି-୨୦ ଲିଗ୍ ଶୀଘ୍ର ଆରମ୍ଭ ହୋଇପାରେ । ଏଥିରେ ଫ୍ରାଞ୍ଚାଇଜ ରହିବେ କିନ୍ତୁ ଏହା ନିଜ ଦେଶର ପ୍ରତିନିଧିତ୍ୱ କରିବେ । ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଏହାକୁ ନେଇ ବିଚାର ଚଳାଇଛି । ସାଉଦି ଆରବ ଏହି ଲିଗରେ ନିବେଶ କରିପାରେ । ଅଷ୍ଟ୍ରେଲିଆର ଜଣେ ବରିଷ୍ଠ ପୂର୍ବତନ କ୍ରିକେଟର ଏହି ଲିଗର ରୂପରେଖା ପ୍ରସ୍ତୁତ କରିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ ଆସିବା ଏବଂ ଏହାର ଅପାର ସଫଳତା ପରେ ସମସ୍ତେ ବର୍ତ୍ତମାନ ଟି-୨୦ ଲିଗ୍ ଜରିଆରେ ଅର୍ଥ କମାଇବାରେ ଲାଗି ପଡିଛନ୍ତି ।
ଅଷ୍ଟ୍ରେଲିଆର ଦୈନିକ ଖବର କାଗଜ ଦ ଏଜ ଅନୁଯାୟୀ, ଟେନିସରୁ ପ୍ରେରଣା ନେଇ ଆଠଟି ଦଳକୁ ନେଇ ଏକ ଲିଗ ଚଳିତ ବର୍ଷ ଚାରୋଟି ଅଲଗା ଅଲଗା ସ୍ଥାନରେ ଆୟୋଜିତ କରାଯିବା ନେଇ ଆଲୋଚନା ଚାଲିଛି । ସାଉଦି ଆରବର ଏସଆରଜେ ସ୍ପୋର୍ଟ୍ସ ଇନଭେଷ୍ଟମେଣ୍ଟର ଶାଖା ପ୍ରଥମେ ଆଇସିସି ସହ ଏହି ବିଷୟରେ ଆଲୋଚନା ଆରମ୍ଭ କରି ଦେଇଛି । ଏହି କ୍ରୀଡା ଇନଭେଷ୍ଟରର ପୁଞ୍ଜି ପରିମାଣ ହେଉଛି ଏକ ଟ୍ରିଲିୟନ ଆମେରିକୀୟ ଡଲାର ।
ଋିପୋର୍ଟ ଅନୁଯାୟୀ, ଏହି ଲିଗର ପରିକଳ୍ପନା ନ୍ୟୁ ସାଉଥ ୱେଲ୍ସ ଓ ଭିକ୍ଟୋରିଆର ପୂର୍ବତନ ଅଲରାଉଣ୍ଡର ନିଲ ମ୍ୟାକ୍ସୱେଲ କରିଥିଲେ । ସେ ଅଷ୍ଟ୍ରେଲିଆର କ୍ରିକେଟ୍ ଆସୋସିଏସନ ଓ କ୍ରିକେଟ୍ ନ୍ୟୁ ସାଉଥ ୱେଲ୍ସର ପୂର୍ବତନ ସଦସ୍ୟ । ଏହି ନୂତନ ଲିଗରେ ନିବେଶ କରିବା ପାଇଁ ନିବେଶକ ପ୍ରସ୍ତୁତ । ଏଥିରେ ସାଉଦି ଆରବ ସବୁଠୁ ବଡ ନିବେଶକ ରହିଛି, ଯିଏ ୦.୫ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ।
ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଉଦ୍ଦେଶ୍ୟ ଅତିରିକ୍ତ ରାଜସ୍ୱ ପ୍ରାପ୍ତ କରିବା । ଟେଷ୍ଟ କ୍ରିକେଟର ତିନି ବଡ ଦଳ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବାଦ ଅନ୍ୟ ଦେଶକୁ ଆର୍ଥିକ ସହାୟତାରେ ଏହାର ଉପଯୋଗ କରାଯିବ । ସୂତ୍ର ଅନୁସାରେ ଏହି ଲିଗ୍ ଅନ୍ତର୍ଜାତୀୟ କ୍ରିକେଟ୍, ଆଇପିଏଲ୍ ଓ ବିଗ୍ ବାଶ ଲିଗ୍ ପରି ପ୍ରତିଯୋଗିତାର ଖାଲି ସମୟରେ ଆୟୋଜିତ କରାଯିବ ।