ବିଶ୍ୱ ଦେଖିଲା ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ । ଝଲସିଲା ବାରବାଟୀ ଆଉ ଝୁମିଲେ ଦର୍ଶକ। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲକିଥିଲା ବାରବାଟୀ ଷ୍ଟାଡିଅମ | ଓଡ଼ିଆ ସିନେ ତାରକା ସବ୍ୟସାଚୀ-ଅର୍ଚ୍ଚିତା ମଞ୍ଚ ଉପରେ ନିଜର ଜଲୱା ଦଖାଇଥିବାବେଳେ ଉପରୁ ଗ୍ରାଣ୍ଡ ଏଣ୍ଟ୍ରିରେ ଓହ୍ଲାଇଲେ ବଲିଉଡ୍ ଷ୍ଟାର୍ ରଣବୀର ସିଂହ ଆଉ ସେପଟେ ଲୋକପ୍ରିୟ ସଂଗୀତର ତାଳେତାଳେ ନିଜ ନୃତ୍ୟାଭିନୟର ଯାଦୁ ଦେଖାଇଲେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନି। ଏଥିସହ ହକି ପୁରୁଷ ବିଶ୍ୱକପ 2023 ଉଦଘାଟିତ ହୋଇଯାଇଛି ।
ଆସନ୍ତାକାଲିଠୁ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ଉଦ୍ଘାଟନୀ ମ୍ୟାଚ । ସେଥିପାଇଁ ଗତକାଲି କଟକ ବାରବାଟୀ ଷ୍ଟାଡିଅମରେ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ ସମ୍ପୂର୍ଣ ହୋଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଏହି ହକି ମହାକୁମ୍ଭର ଶୁଭାରମ୍ଭ ହୋଇଥିଲା। କଟକର ବାରବାଟୀ ଷ୍ଟାଡିୟମରେ ବିଶ୍ବ କପ୍ ହକିର ଏଭଳି ଭବ୍ୟ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ 35 ହଜାରରୁ ଅଧିକ ଦର୍ଶକ ଦୀର୍ଘ 6 ଘଣ୍ଟାରୁ ଅଧିକ ସମୟ ଧରି ଉପଭୋଗ କରିଛନ୍ତି। ଏହି ଅବସରରେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ ପଟ୍ଟନାୟକ ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଓଡ଼ିଶାରେ ଅନ୍ତର୍ଜାତୀୟ ପୁରୁଷ ହକି ଆୟୋଜନ ହେଉଛି। କଟକରେ ଉଦ୍ଘାଟନୀ ଉତ୍ସବ ଆୟୋଜନ ହେଉଛି। ଆପଣ ମାନେ ଖୁସି ତ? ମୁଁ ବି ବହୁତ ଖୁସି।' କିଛି ଏପରି ଅଭିଭାଷଣ ଓ ଉଦବୋଧନ କାର୍ଯ୍ୟକ୍ରମକୁ ଆହୁରି ଶୋଭନୀୟ କରିଦେଇଥିଲା | ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଯୋଗଦେଇ କହିଲେ ଯେ ହକି ପୁରୁଷ ବିଶ୍ବକପ୍ ଭାରତ ଆୟୋଜନ କରିବା ଆମ ପାଇଁ ଏକ ଗୌରବର ବିଷୟ। ଓଡ଼ିଶାରେ ଏହା ଦ୍ବିତୀୟଥର ପାଇଁ ଆୟୋଜନ ହୋଇଥିବା ବେଳେ ଏହାର ଏକ ସ୍ବତନ୍ତ୍ରତା ରହିଛି। କଟକରେ ଏଭଳି ଏକ ଭବ୍ୟ ସମାରୋହ ଆୟୋଜନ କରିଥିବାରୁ ଶ୍ରୀ ଠାକୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦ୍ଘାଟନୀ ଉତ୍ସବରେ ବଲିଉଡ କଳାକାର ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନି, ନକାଶ ଅଜିଜ, ଓଲିଉଡ କଳାକାର ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ 35 ହଜାରରୁ ଅଧିକ ଦର୍ଶକ ଉପଭୋଗ କରିଥିଲେ | କାର୍ଯ୍ୟକ୍ରମରେ ପ୍ରୀତମ, ନୀତି ମୋହନ, ବେନି ଦୟାଲ, ଋତୁରାଜ ମହାନ୍ତି, ସ୍ନିତି ମିଶ୍ର, ଲିସା ମିଶ୍ର, ବ୍ଲାକସ୍ବାନ୍ ଗ୍ରୁପ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଅରୁଣା ମହାନ୍ତିଙ୍କ ନିର୍ଦ୍ଦେଶନାରେ ସହଯୋଗୀଙ୍କ ଓଡ଼ିଶୀ ନୃତ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା ।