ନୂଆଦିଲ୍ଲୀ: ଗୁରୁବାର ଭାରତୀୟ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫିରେ ନିଜର ଅଭିଯାନ ଆରମ୍ଭ କରିବ । ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭେଟିବ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କ ପାଇଁ ଆସିଛି ଭଲ ଖବର । କାରଣ ଗତ ଦିନରେ ବିସିସିଆଇ ନିଜ ଆଦେଶରେ କହିଥିଲା ଯେ, କୌଣସି ଗସ୍ତରେ ଖେଳାଳି ନିଜ ପରିବାର ସହିତ ରହି ପାରିବେ ନାହିଁ । ଏବେ ଏହି ଆଦେଶରେ ବିସିସିଆଇ କିଛିଟା କୋହଳ କରିଛି । ସଦ୍ୟତମ ଖବର ଅନୁଯାୟୀ, ଖେଳାଳିଙ୍କ ପରିବାର ଚାମ୍ପିଅନ୍ସ ଟ୍ରଫିରେ ଗୋଟିଏ ମ୍ୟାଚ୍ ଦେଖି ପାରିବେ ।
ବିସିସିଆଇ ଚାମ୍ପିଅନ୍ସ ଟ୍ରଫିରେ ଖେଳାଳିଙ୍କ ପରିବାରକୁ ଦୁବାଇରେ ଗୋଟିଏ ମ୍ୟାଚ୍ ଦେଖିବା ପାଇଁ ଅନୁମତି ଦେଇଛି । କିନ୍ତୁ ଏଥିପାଇଁ ବିସିସିଆଇର ଅନୁମତି ନେବାକୁ ପଡିବ । ଏହା ପରେ ଚାମ୍ପିଅନ୍ସ ଟ୍ରଫିରେ ଖେଳାଳିଙ୍କ ପରିବାର ଗୋଟିଏ ମ୍ୟାଚ୍ ଦେଖି ପାରିବେ । ଉଲ୍ଲେଖନୀୟ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳର ଶୋଚନୀୟ ପରାଜୟ ପରେ ବିସିସିଆଇ କଡା ନିଷ୍ପତ୍ତି ଗ୍ରହଣ କରିଥିଲା ।
ବିସିସିଆଇ ସ୍ପଷ୍ଟ କରିଛି ଯେ, ଖେଳାଳିମାନେ ବୋର୍ଡକୁ ଜଣାଇବେ ଯେ, କେଉଁ ମ୍ୟାଚ୍ ପାଇଁ ନିଜ ପରିବାରକୁ ଡକାଉଛନ୍ତି । କାରଣ ଏଥିରେ ପାରଦର୍ଶିତା ଆସିବା ଉଚିତ୍ । ବୋର୍ଡଙ୍କ ଅନୁମତି ପରେ ଖେଳାଳିଙ୍କୁ ନିଜ ପରିବାର ସହିତ ରହିବା ପାଇଁ ଅନୁମତି ମିଳିବ । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, କଣ କୌଣସି ଖେଳାଳି ଦଳ ପ୍ରବନ୍ଧକଙ୍କ ନିକଟରେ ଦାବି କରିଥିଲେ ନା ବୋର୍ଡ ନିଜ ଆଡୁ ରାଜି ହୋଇଛି ଯେ, ଅତି କମରେ ଗୋଟିଏ ମ୍ୟାଚରେ ଖେଳାଳି ପରିବାର ସହ ରହିବେ ।
ବିସିସିଆଇର ନିୟମ ଅନୁଯାୟୀ, ୪୫ କିମ୍ବା ସେଥିରୁ ଅଧିକ ଦିନର ଗସ୍ତରେ ଖେଳାଳି ଦୁଇ ସପ୍ତାହ ନିଜ ପରିବାର ସହିତ ରହି ପାରିବେ । ଯଦି ଗସ୍ତ ସେଥିରୁ ଛୋଟ ଥିବ ତେବେ ଖେଳାଳିମାନେ ପରିବାର ସହିତ ଯାତ୍ରା କରି ପାରିବେ ନାହିଁ ।