ନୂଆଦିଲ୍ଲୀ: ନିକଟରେ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଅଧ୍ୟକ୍ଷ ଭାବେ ନିଦ୍ୱନ୍ଦ୍ୱର୍ରେ ନିର୍ବାଚିତ ହୋଇଛନ୍ତି । ସେ ଆସନ୍ତା ଡିସେମ୍ବର ୧ ତାରିଖରୁ କାର୍ଯ୍ୟଭାର ସମ୍ଭାଳିବେ । ଜୟ ଶାହ ଆଇସିସି ଚେୟାରମ୍ୟାନ ହେବାରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ବା ପିସିବିର କଣ ସମସ୍ୟା ଅଛି କି? ଏହା ଉପରେ ପିସିବିର ଅଧ୍ୟକ୍ଷ ମୋହସିନ ନକଭିଙ୍କ ଟିପ୍ପଣୀ ସାମ୍ନାକୁ ଆସିଛି । ମୋହସିନ ନକଭି କହିଛନ୍ତି, ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସିର ଚେୟାରମ୍ୟାନ ହେବାରେ କୌଣସି ଚିନ୍ତା ନାହିଁ ।
ନକଭି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମେ ଜୟ ଶାହଙ୍କ ଯୋଗାଯୋଗରେ ଅଛୁ । ତାଙ୍କର ଆଇସିସି ଅଧ୍ୟକ୍ଷ ହେବାକୁ ନେଇ କୌଣସି ଚିନ୍ତା ନାହିଁ । ସେଥିରେ ଆମର କୌଣସି ଆପତ୍ତି ନାହିଁ । ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ବୈଠକ ସେପ୍ଟେମ୍ବର ୮ ଓ ୯ ତାରିଖରେ ହେବାକୁ ଯାଉଛି । ନକଭି ଏହାର ସୂଚନା ଦେଇଛନ୍ତି ଯେ, ସେ ଏହି ବୈଠକରେ ସାମିଲ ହୋଇ ପାରିବେ ନାହିଁ । ମୋ ବଦଳରେ ସଲମାନ ନାସିର ଏଥିରେ ଯୋଗ ଦେବେ । ବୈଠକରେ ନୂତନ ଅଧ୍ୟକ୍ଷ ସଂପର୍କିତ ମାମଲାକୁ ଚୂଡାନ୍ତ ରୂପ ଦିଆଯିବ।
ଜୟ ଶାହ ୨୦୨୪ ଡିସେମ୍ବର ୧ରେ ଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳିବେ । ସେ ଆଇସିସିର ନେତୃତ୍ୱ ନେବାରେ ସବୁଠୁ କମ ବୟସର ବ୍ୟକ୍ତି ହେବାର ରେକର୍ଡ କରିଛନ୍ତି । ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଓ ଶଶାଙ୍କ ମନୋହରଙ୍କ ପରେ ଭାରତ ପକ୍ଷରୁ ଆଇସିସି ଅଧ୍ୟକ୍ଷ ହେବାରେ ପଞ୍ଚମ ବ୍ୟକ୍ତି । ପାକିସ୍ତାନରେ ଆସନ୍ତା ବର୍ଷ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳାଯିବ । ତେବେ ଭାରତ ପାକିସ୍ତାନ ଗସ୍ତ କରିବ କି ନାହିଁ ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ଏବେ ସଭିଙ୍କ ନଜର ଜୟ ଶାହଙ୍କ ଉପରେ ରହିଛି ।