ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଯିବ କି ନାହିଁ ତାହା ଅଦ୍ୟାବଧି ସ୍ଥିର ହୋଇ ନାହିଁ। ବିସିସିଆଇ ସ୍ପଷ୍ଟ କରି ସାରିଛି ଯେ, ଭାରତୀୟ ଦଳର ପାକିସ୍ତାନ ଗସ୍ତର ନିଷ୍ପତ୍ତି କେନ୍ଦ୍ର ସରକାର ନେବେ। ଏହା ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ଏକ ଗୁରୁତ୍ଵପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହାଇବ୍ରିଡ ମୋଡେଲ୍ ଆଧାରରେ ଆୟୋଜନ କରାଯାଇପାରେ। ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ୟୁଏଇରେ ଖେଳିପାରେ।
ଦ ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ଭାରତର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଦୁବାଇରେ ଖେଳା ଯାଇପାରେ। ଏହି ମଇଦାନରେ ଦଳ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ବିପକ୍ଷରେ ନିଜର ମ୍ୟାଚ୍ ଖେଳିପାରେ। ଯଦି ଭାରତ ସେମି ଫାଇନାଲ୍ ଓ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୁଏ ତେବେ ଆୟୋଜନ ସ୍ଥଳ ପରିବର୍ତ୍ତନ ହୋଇପାରେ। ଏପରିକି ନକଆଉଟ୍ ମ୍ୟାଚ୍ ବି ଦୁବାଇରେ ଖେଳା ଯାଇପାରେ। ଭାରତ ସେମି ଫାଇନାଲ୍ ଓ ଫାଇନାଲ୍ ନ ପହଞ୍ଚିଲେ ନକଆଉଟ୍ ମ୍ୟାଚ୍ ଲାହୋରରେ ଖେଳାଯିବ।
ଡ୍ରାଫ୍ଟ କାର୍ୟ୍ୟଇସୂଚୀ ଅନୁସାରେ, ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଫେବୃଆରୀ ଓ ମାର୍ଚ୍ଚରେ ଖେଳାଯିବ। ସମ୍ଭାବିତ ସେମି ଫାଇନାଲ୍ ଓ ଫାଇନାଲ୍ ସହିତ ଭାରତର ସମସ୍ତ ମ୍ୟାଚ୍ ଲାହୋରରେ ଖେଳାଯିବା ନେଇ ନିର୍ଦ୍ଧାରିତ ହୋଇଛି। ଏହା ଅନୁଯାୟୀ ମାର୍ଚ୍ଚ ୧ ତାରିଖରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା ଲାହୋରରେ ଖେଳାଯିବ। ସୂଚନାଯୋଗ୍ୟ, ରାଜନୈତିକ ବିବାଦ କାରଣରୁ ଭାରତ ଓ ପାକିସ୍ତାନ ଦୀର୍ଘ ବର୍ଷ ହେବ ଦ୍ଵିପାକ୍ଷିକ ସିରିଜ୍ ଖେଳି ନାହାନ୍ତି। ଭାରତ ଶେଷ ଥର ୨୦୦୮ରେ ପାକିସ୍ତାନ ଗସ୍ତ କରିଥିଲା।
ଏହା ପୂର୍ବରୁ ୨୦୨୩ରେ ପାକିସ୍ତାନରେ ଏସିଆ କପ୍ ଆୟୋଜନ ହୋଇଥିଲା। କିନ୍ତୁ ଭାରତ ପାକିସ୍ତାନ ନ ଯିବା ନିଜ ଜିଦରେ ଅଟଳ ରହିବାରୁ ହାଇବ୍ରିଡ ମୋଡେଲ୍ ଆଧାରରେ ଏସିଆ କପ୍ ୨୦୨୩ ଖେଳା ଯାଇଥିଲା। ଆଉ ଭାରତ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା। ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ କି ନାହିଁ ତାର ନିଷ୍ପତ୍ତି ଭାରତ ସରକାରଙ୍କ ଉପରେ ନିର୍ଭର କରେ।