ଚଣ୍ଡିଗଡ: ଆଇପିଏଲ ଇତିହାସରେ ଦେଖିବାକୁ ମିଳିଛି ଆଉ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା । ପଞ୍ଜାବ କିଙ୍ଗସ ଆଇପିଏଲ ୨୦୨୫ର ୧୧ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ୧୬ ରନରେ ହରାଇଛି । ୧୧୧ ରନ କରିଥିବା ପଞ୍ଜାବ କିଙ୍ଗସ ୟୁଜବେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ବଳରେ କୋଲକାତାକୁ ୯୫ ରନରେ ଅଲଆଉଟ୍ କରିଛି । ଏତେ କମ ସ୍କୋର ଡିଫେଣ୍ଡ କରି ଇତିହାସ ରଚିଛି ପଞ୍ଜାବ । ପଞ୍ଜାବ ୬ଟି ମ୍ୟାଚରୁ ୪ ବିଜୟ ସହ ଅଙ୍କ ତାଲିକାର ଚତୁର୍ଥକୁ ଉଠିଛି । ଅନ୍ୟପଟେ କୋଲକାତା ସପ୍ତମ ମ୍ୟାଚରୁ ୪ଟି ହାରି ଷଷ୍ଠ ସ୍ଥାନରେ ରହିଛି ।
୧୧୨ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା କେକେଆର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ୭ ରନ ସ୍କୋରରେ ଦୁଇ ଓପନିଂ ବ୍ୟାଟର ଆଉଟ୍ ହୋଇଥିଲେ । କ୍ୱିଣ୍ଟନ ଡିକକ ୨ ରନ ଓ ସୁନିଲ ନାରାୟଣ ୫ ରନ କରି ପାଭିଲିୟନ ଫେରିଥିଲେ । ଏହି ଲୋ ସ୍କୋରି ଂ ମ୍ୟାଚରେ ଅଙ୍ଗକୃଷ ରଘୁବଂଶୀ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ୫୫ ରନର ଭାଗିଦାରୀ କରି କେକେଆର ବିଜୟ ସମ୍ଭାବନା ବଢାଇଥିଲେ । ରଘୁବଂଶୀ ୩୭ ରନ ଓ ରାହାଣେ ୧୭ ରନ କରିଥିଲେ ।
ଏକଦା ୩ ୱିକେଟ୍ ହରାଇ ୭୨ ରନ କରିଥିଲା କୋଲକାତା । ରଘୁବଂଶୀ ଆଉଟ୍ ହେବା ସହ ଦଳର ୱିକେଟ୍ ପତନ ଆରମ୍ଭ ହୋଇଥିଲା । ମାତ୍ର ୭ ରନରେ ଦଳ ୫ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଏହି ସମୟରେ ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଅଙ୍ଗକୃଷ ରଘୁବଂଶୀ, ରମଣଦୀପ ସିଂ ଓ ହର୍ଷିତ ରାଣା ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ପଞ୍ଜାବ ବୋଲର ଘାତକ ବୋଲିଂ କରି କେକେଆର ବ୍ୟାଟରଙ୍କୁ କ୍ରିଜରେ ତିଷ୍ଠିବାକୁ ଦେଇ ନ ଥିଲେ । ରସେଲ ୧୭ ରନ କରି ଆଉଟ୍ ହେବା ସହ କୋଲକାତା ୯୫ ରନରେ ଅଲଆଉଟ୍ ହୋଇଥିଲା ।
ପଞ୍ଜାବ ବିଜୟରେ ୟୁଜବେନ୍ଦ୍ର ଚହଲ ବହୁତ ବଡ ଯୋଗଦାନ ଦେଇଛନ୍ତି । ସେ ୪ ଓଭରରେ କେବଳ ୨୮ ରନ ଦେଇ ୪ ୱିକେଟ ଅକ୍ତିକାର କରିଛନ୍ତି । ମାର୍କୋ ଜନସେନ ମାତ୍ର ୧୭ ରନ ଦେଇ ୩ଟି ୱିକେଟ୍ ନେଇଛନ୍ତି । ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୧୫.୩ ଓଭରରେ ୧୧୧ ରନରେ ଅଲଆଉଟ୍ ହୋଇଥିଲା । ପ୍ରିୟଂଶ ଆର୍ଯ୍ୟ ୨୨ ରନ ଓ ପ୍ରଭସିମରନ ସିଂ ୩୦ ରନ କରିଥିଲେ । ବାକି ବ୍ୟାଟର ଦଳକୁ ନିରାଶ କରିଥିଲେ ।